ନୂଆଦିଲ୍ଲୀ, ୧୨/୦୮: ଆପଲର ସବୁଠୁ ବଡ଼ ଯୋଗାଣକାରୀ କମ୍ପାନି ଫକ୍ସକନ୍ ଏବେ ଭାରତ ଉପରେ ଫୋକସ୍ କରୁଛି । ଏହି ତାଇଓ୍ବାନ କମ୍ପାନି ଭାରତକୁ ନିଜ ନୂଆ ଉତ୍ପାଦନ ହବ୍ କରିବାକୁ ଚାହୁଛି । ଏଥିପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଫକ୍ସକନ୍ । କମ୍ପାନି ତେଲେଙ୍ଗାନାରେ ଏହାର ନିର୍ମାଣାଧୀନ ପ୍ଳାଣ୍ଟରେ ନିବେଶ ରାଶି ପୂର୍ବ ତୁଳନାରେ ଆହୁରି ଅଧିକ ଗୁଣା ବଢ଼ାଇବାକୁ ଘୋଷଣା କରିଛି ।
ଫକ୍ସକନ୍ ଇଣ୍ଡିଆର ପ୍ରତିନିଧି ଶନିବାର ଏକ ସୋସିଆଲ ମିଡିଆ ଅପଡେଟରେ କହିଛନ୍ତି ଯେ, କମ୍ପାନି ତେଲେଙ୍ଗାନାରେ ୪୦୦ ମିଲିୟନ ଡଲାରର ଅତିରିକ୍ତ ନିବେଶ କରିବ । ଏହା ପୂର୍ବରୁ ଫକ୍ସକନ୍ ତେଲେଙ୍ଗାନା ପ୍ଲାଣ୍ଟରେ ୧୫୦ ମିଲିୟନ ଡଲାରର ନିବେଶ କରିବା ନେଇ ସୂଚନା ଦେଇଛି। ତେବେ ବର୍ତ୍ତମାନ ନିବେଶ ବଢ଼ିବା ପରେ ଏହା ସମୁଦାୟ ୫୫୦ ମିଲିୟନ ଡଲାର ହୋଇଯିବ। ଯାହା ପ୍ରାଥମିକ ନିବେଶ ୧୫୦ ମିଲିୟନ ଡଲାର ତୁଳନାରେ ପ୍ରାୟ ୪ ଗୁଣା। ସୂଚନାଥାଉକି, ଫକ୍ସକନ୍ ଗତ ମେ ମାସରେ ତେଲେଙ୍ଗାନାରେ ଏହାର ପ୍ଲାଣ୍ଟର ଶିଳାନ୍ୟାସ କରିଛି।
ଆହୁରି ପଢ଼ନ୍ତୁ: ଭାରତରେ ୪୧୦୦ କୋଟି ନିବେଶ କରିପାରେ ଫକ୍ସକନ୍, ଏହି ରାଜ୍ୟରେ ତିଆରି ହେବ ଦୁଇ ଫ୍ୟାକ୍ଟ୍ରି
ତାଇଓ୍ବାନ କମ୍ପାନି ଫକ୍ସକନ ଚୁକ୍ତିରେ ଉତ୍ପାଦନ କରିଥାଏ। କମ୍ପାନି ଆପଲ ପାଇଁ ଆଇଫୋନ୍ ସମେତ ଅନେକ ଉତ୍ପାଦ ତିଆରି କରିଥାଏ। ଏବେ ଏହା ଆପଲର ସବୁଠୁ ବଡ଼ ଯୋଗାଣକାରୀ। ଫକ୍ସକନର ଯୋଜନା ଆଗାମୀ ସମୟରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ ପାଇଁ ମଧ୍ୟ ରହିଛି। ଏହା ବ୍ୟତୀତ କମ୍ପାନି ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ମଧ୍ୟ ଲଗାଇବାକୁ ଯୋଜନା ଉପରେ କାମ କରୁଛି।