ନୂଆଦିଲ୍ଲୀ ୭।୧୧: ସମସ୍ତ ଉଦ୍ୟମ ସତ୍ତ୍ୱେ ଦେଶର ଆଉ ଏକ ବିମାନ କମ୍ପାନୀ ସବୁଦିନ ଲାଗି ବନ୍ଦ ହୋଇଯାଇଛି। ଏକଦା ଦେଶର ସବୁଠୁ ବଡ଼ ଘରୋଇ ଏୟାରଲାଇନ୍ସରେ ଗଣାଯାଉଥିବା ଏହି କମ୍ପାନୀର ସବୁ ଆଶା ଗୁରୁବାର ସୁପ୍ରିମକୋର୍ଟଙ୍କ ଆଦେଶ ବାଦେ ମଉଳି ଯାଇଛି। ଲାଗୁଥିଲା ୨୦୨୪ ଶେଷ ବେଳକୁ ଏହି କମ୍ପାନୀର ବିମାନ ପୁଣି ଆକାଶରେ ଦେଖାଯିବେ। ତେବେ ଏପରି ହୋଇ ପାରିଲାନି। ଏବେ ଏହି କମ୍ପାନୀକୁ ସବୁଦିନ ପାଇଁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି।
ସୁପ୍ରିମକୋର୍ଟ ଗୁରୁବାର ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ଙ୍କ ଆଦେଶକୁ ଅଗ୍ରାହ୍ୟ କରି ଜେଟ୍ ଏୟାରୱେଜର ସମ୍ପତ୍ତି ବିକ୍ରି ଲାଗି ରାୟ ଦେଇଛନ୍ତି। ଏପର୍ଯ୍ୟନ୍ତ ଜେଟ୍ ଏୟାରୱେଜକୁ ଜାଲାନ କାଲରକ କନସୋର୍ଟିୟମ ପକ୍ଷରୁ ଅଧିଗ୍ରହଣ ନିମନ୍ତେ ଉଦ୍ୟମ କରାଯାଉଥିଲା। ମନେ କରାଯାଉଥିଲା ଡିସେମ୍ବର ୨୦୨୪ ସୁଧା ଏହି ଡିଲ ପୁରା ହୋଇଯିବ। ତେବେ ଶୀର୍ଷ ନ୍ୟାୟାଳୟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କମ୍ପାନୀର ସମ୍ପତ୍ତି ବିକ୍ରି କରି ବ୍ୟାଙ୍କମାନଙ୍କ ଋଣ ସୁଝିବାକୁ ଆଦେଶ ଦେଇଛନ୍ତି।
ଜେଟ୍ ଏୟାରୱେଜକୁ ଏକ ସମୟରେ ଭାରତୀୟ ଆକାଶର ରାଣୀ କୁହାଯାଉଥିଲା। ଲଗଜରୀ ଉଡାଣ ପ୍ରସଙ୍ଗରେ ତତ୍କାଳୀନ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ପଛରେ ପକାଇଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫେବୃୟାରୀ ୨୦୧୬ରେ ଜେଟ୍ ଏୟାରୱେଜର ମାର୍କେଟ ସେୟାର ୨୧.୨ ପ୍ରତିଶତକୁ ପହଞ୍ଚିଥିଲା। ଏହି କମ୍ପାନୀ ଦେଶ ଓ ବିଦେଶର ୭୪ ସହରଙ୍କ ନିମନ୍ତେ ଦୈନିକ ୩୦୦ ଉଡାଣ ସଞ୍ଚାଳନ କରୁଥିଲା ଓ ଦେଶର ବଡ଼ ଏୟାରଲାଇନ୍ସ କମ୍ପାନୀଙ୍କ ମଧ୍ୟରେ ଏହାକୁ ଗଣାଯାଉଥିଲା।
୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ୨୦୦୫ ଓ ୨୦୦୭ରେ ସେୟାର ବଜାରରେ ନିଜକୁ ଲିଷ୍ଟେଡ କରିଥିଲା। ଏହା ପୂର୍ବରୁ ସାହାରା ସମୂହର ଏୟାର ସାହାରା ଅଧିଗ୍ରହଣ କରି ଭାରତୀୟ ଘରୋଇ ବଜାରରେ ଏକ ସ୍ୱଚ୍ଛଳ ବିମାନ କମ୍ପାନୀରେ ପରିଣତ ହୋଇଥିଲା। ତେବେ ଲଗଜରୀ ସୁବିଧା ଓ ସେବା ପାଇଁ ପ୍ରତିଷ୍ଠିତ ଜେଟ୍ ଏୟାରୱେଜକୁ ୨୦୧୬ ମସିହାରେ ସ୍ପାଇସ୍ ଜେଟ୍ ଓ ଇଣ୍ଡିଗୋ ଭଳି ଶସ୍ତା ଉଡାଣ ସଞ୍ଚାଳନ କରୁଥିବା କମ୍ପାନୀଙ୍କ ପ୍ରତିଯୋଗୀତାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ୨୦୧୭ ମସିହାରେ କମ୍ପାନୀ ମାର୍କେଟ ସେୟାର ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନକୁ ପହଞ୍ଚିଥିଲା ଓ ଇଣ୍ଡିଗୋ ପ୍ରଥମ ସ୍ଥାନ ହାତେଇ ନେଇଥିଲା।
ଏହି ଠାରୁ ଜେଟ୍ ଏୟାରଲାଇନସର ପତନ ପର୍ବ ଆରମ୍ଭ ହୋଇଯାଇଥିଲା। କାରଣ ଶସ୍ତା ଉଡାଣ ମୁକାବିଲାରେ ଏହି କମ୍ପାନୀର କ୍ଷତି ଲଗାତାର ବଢିବାକୁ ଲାଗିଲା। ୨୦୧୭ ପ୍ରାରମ୍ଭରୁ ଆରମ୍ଭ ହୋଇଥିବା କ୍ଷତି ୨୦୧୮ବେଳକୁ ବ୍ୟାପକ କ୍ଷତିରେ ପରିଣତ ହୋଇଥିଲା। କମ୍ପାନୀର ଆୟ ହ୍ରାସ ହେବାରୁ ଋଣ କିସ୍ତି ଖିଲାଫ ହେବା ଆରମ୍ଭ ହୋଇଥିଲା। ଶେଷରେ ଏପ୍ରିଲ ୨୦୧୯ରେ ଜେଟଏୟାରୱେଜକୁ ଦେବାଳିଆ ଘୋଷଣା କରିଦିଆଯାଇଥିଲା। କମ୍ପାନୀର ସଂସ୍ଥାପକ ତଥା ପ୍ରମୋଟର ନରେଶ ଗୋୟଲଙ୍କୁ ଗିରଫ କରାଯାଇଥିବା ବେଳେ ବିମାନର ଉଡାଣ ବନ୍ଦ କରିଦିଆଯାଇଥିଲା। ଏହାପରେ କମ୍ପାନୀ ପୁଣି ଆକାଶ ଛୁଇଁବା ପାଇଁ ୫ ବର୍ଷ ଧରି ଅନେକ ଚେଷ୍ଟା କରିଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଜେଟ ଏୟାରୱେଜ ଇତିହାସ ପୃଷ୍ଠାରେ ରହିବ।