କାନ୍ତାରା ଫେମ୍ ଋଷଭ ସେଟ୍ଟୀଙ୍କୁ ଆଉ ଏକ ସଫଳତା, ମିଳିଲା ଦାଦା ସାହେବ ଫାଲକେ ସମ୍ମାନ
15/02/2023 at 6:18 PM

ନୂଆଦିଲ୍ଲୀ: କନ୍ନଡ ଅଭିନେତା ଋଷଭ ସେଟ୍ଟୀଙ୍କୁ ଆଉ ଏକ ସଫଳତା। ନିଜ ଫିଲ୍ମ କାନ୍ତାରା ଜରିଆରେ ଫିଲ୍ମ ଜଗତରେ ଏବଂ ପ୍ରଶଂସକଙ୍କ ଗହଣରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଋଷଭଙ୍କୁ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ‘ମୋଷ୍ଟ ପ୍ରୋମିସିଂ ଆକ୍ଟର’ ସମ୍ମାନରେ ସମ୍ମାନିତ କରାଯିବ। କନ୍ନଡ ସିନେମାର ସୀମାକୁ ଡେଇଁ ଜାତୀୟସ୍ତରରେ ଲୋକପ୍ରିୟତା ହାସଲ କରିଥିବା ଏହି ସାଉଥ ଅଭିନେତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ପାଇଁ ଚୟନ କରାଯାଇଛି। ଅଭିନେତାଙ୍କୁ ଏହି ସମ୍ମାନ ଫେବୃଆରୀ ୨୦ରେ ମୁମ୍ବାଇରେ ମିଳିବ।
କେନ୍ଦ୍ରୀୟ ସେନସର ବୋର୍ଡର ସଦସ୍ୟ ଏବଂ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ର ସିଇଓ ଅଭିଷେକ ମିଶ୍ର ସାମାଜିକ ଗଣମାଧ୍ୟମରେ ବୁଧବାର ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦାଦାସାହେବ ଫାଲକେ ଆଓ୍ଵାର୍ଡ ଏବଂ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ମଧ୍ୟରେ ପ୍ରଭେଦ ରହିଛି।
ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ଭାରତର ଏକମାତ୍ର ସ୍ଵତନ୍ତ୍ର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ। ୨୦୧୨ରେ ଏହାର ଶୁଭାରମ୍ଭ ହୋଇଥିଲା। ଭାରତ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଦାଦାସାହେବ ଫାଲକେ ଆଓ୍ଵାର୍ଡ ଏଥିରୁ ଭିନ୍ନ ଅଟେ। ଏହି ପୁରସ୍କାର ପ୍ରଦାନ ୧୯୬୯ ମସିହାରୁ ଆରମ୍ଭ ହୋଇଥିଲା।