ସୋଆ ଆଇଏଏସ୍‌ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ  ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନର ଅଗ୍ରଗତିରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ବିଷୟରେ  ଆଲୋକପାତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ  ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥାର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍‌ର ପ୍ର୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ଅନ୍ତରା ଚକ୍ର୍ରବର୍ତୀ ଓ ସ୍ୱୟମ୍ ପ୍ରଭାସ ପାଢୀଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.