”ନିଜ ଭୁଲ୍ରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼”: ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟର ବାର୍ଷିକ ଉତ୍ସବ
24/03/2023 at 9:59 PM

ଭୁବନେଶ୍ୱର ୨୪/ ୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ “ରେନ୍ଡେଜ୍ଭସ୍ -୨୦୨୩” ଅନୁଷ୍ଠିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଟ୍ରାଇଡେଣ୍ଟ ହୋଟେଲ ମ୍ୟାନେଜର ରୋହିତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ସମ୍ପର୍କରେ ବୁଝାଇଥିଲେ। ଏହାସହ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଶିଳ୍ପ କ୍ଷେତ୍ରରେ ଅତିଥିମାନେ କିଭଳି ଭଲ ସ୍ମୃତି ନେଇ ଫେରିବେ ସେ ଦିଗରେ ହୋଟେଲ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି ସେ କହିଥିଲେ। ସେହିପରି ୱେଲ୍କମ୍ ହୋଟେଲ୍ର ଏଗ୍ଜିକ୍ୟୁଟିଭ୍ ସେଫ୍ ଅନିମେଶ ଆଲେକ୍ଜାଣ୍ଡାର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ କିଭଳି ଅତିଥି ଚର୍ଚ୍ଚା ପ୍ରତି ଅଧିକ ମନୋନିବେଶ କରିବେ ସେ ବିଷୟରେ ଅନିମେଶ ଆଲୋକପାତ କରିଥିଲେ।

ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏଚ୍ଏମ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।