ସ୍ୱାମୀ ସ୍ୱରୂପାନନ୍ଦଙ୍କ ଉତ୍ତରାଧିକାରୀ: ଜ୍ୟୋତିର୍ମଠର ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ସ୍ୱାମୀ ସଦାନନ୍ଦ ଶାରଦା ପୀଠର ଶଙ୍କରାଚାର୍ଯ୍ୟ
12/09/2022 at 7:04 PM

ନୂଆଦିଲ୍ଲୀ: ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦଙ୍କ ଉତ୍ତରାଧିକାରୀ ଘୋଷଣା ହୋଇଛି । ଜ୍ୟୋତିର୍ମଠର ନୂଆ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ହେବେ, ସେହିପରି ଶାରଦା ପୀଠର ନୂଆ ଶଙ୍କରାଚାର୍ଯ୍ୟ ହେବେ ସ୍ୱାମୀ ସଦାନନ୍ଦ ସରସ୍ୱତୀ । ବ୍ରହ୍ମଲୀନ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବ୍ୟକ୍ତିଗତ ସଚିବ ସୁବୋଦ୍ଧାନନ୍ଦ ମହାରାଜ ଏହି ଘୋଷଣା କରିଛନ୍ତି । ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ୯୯ ବର୍ଷରେ ରବିବାର ନିଧନ ହୋଇଥିଲା।
ଶଙ୍କରାଚାର୍ଯ୍ୟ ହେବା ନେଇ ଘୋଷଣା ପରେ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରି ବିଭୂତି ଅନ୍ୟ କେହି ହୋଇ ପାରିବେ ନାହିଁ । ନିଜର ଜୀବନ କାଳରେ ହିଁ ସେ ନିଜର ଉତ୍ତରାଧିକାରୀ ବାଛି କର୍ତ୍ତବ୍ୟ ପାଳନ କରିଛନ୍ତି । ସେ ନିଜର ସବୁ କର୍ତ୍ତବ୍ୟକୁ ଦାୟିତ୍ୱର ସହ ପାଳନ କରିଥିଲେ । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପରମହଂସୀ ଆଶ୍ରମକୁ ଦେଶର ସବୁ ମଠରୁ ପ୍ରତିନିଧି ଆସୁଛନ୍ତି ।
ଶାରଦା ପୀଠର ନୂଆ ଶଙ୍କରାଚାର୍ଯ୍ୟ ସଦାନନ୍ଦ ସରସ୍ୱତୀ ଏହି ଅବସରରେ ଭାବୁକ ହୋଇଥିଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ସମୟରେ ସେ କାନ୍ଦି ପକାଇଥିଲେ । ସ୍ୱାମୀ ସ୍ୱରୂପାନନ୍ଦଙ୍କ ସ୍ଥାନ କେବେ ପୂରଣ ହୋଇପାରିବ ନାହିଁ । ଭଗବାନ ସମସ୍ତଙ୍କୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି । ଏହାସହ ଦେଶକୁ ଆଧ୍ୟାତ୍ମିକ ଉତଥାନ ମାର୍ଗରେ ନେବା ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି ।