୧୪-୧୫ ମାର୍ଚ୍ଚରେ ହୋଇପାରେ ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୫।୩: ଲୋକସଭା ନିର୍ବାଚନର ତାରିଖ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ୧୪-୧୫ ତାରିଖ ପାଖଆଖରେ ସମ୍ଭବତଃ ସାଧାରଣ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇପାରେ। କୁହାଯାଉଛି ନିର୍ବାଚନ ଆୟୋଗ ଲଗାତାର ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି ଓ ଏହା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନ ଆୟୋଗଙ୍କ ଅଧିକାରୀ ନିର୍ବାଚନ ପ୍ରସ୍ତୁତିର ଆକଳନ ନିମନ୍ତେ ଏବେ ବିଭିନ୍ନ ରାଜ୍ୟ ଗସ୍ତରେ ଥିବା ଜଣାପଡିଛି।

ପଶ୍ଚିମବଙ୍ଗରେ ଆଗାମୀ ଲୋକସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ନିର୍ବାଚନ ଆୟୋଗ(ଇସି) ଙ୍କ ଏକ ପୂର୍ଣ୍ଣ ପୀଠ ଏବେ ରାଜ୍ୟଗସ୍ତରେ ଅଛନ୍ତି। ଏହି ଅବସରରେ ଇସିଙ୍କ ପୀଠ ସୋମବାର ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରତିନିଧିଙ୍କୁ ଭେଟିଥିଲେ। ଅନ୍ୟପଟେ ରାଜ୍ୟରେ କଂଗ୍ରେସ, ବିଜେପି ସମେତ ସମସ୍ତ ରାଜନୈତିକ ଦଳ ଏବେ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡିଛନ୍ତି। କଂଗ୍ରେସ ବିରୋଧୀ ମେଣ୍ଟର ସାଥୀଙ୍କ ସହିତ ଆସନ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବାକୁ ଉଦ୍ୟମ ଜାରି ରଖିଛି।

ଏଥିରେ ବିଜେପି ତାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଲାଣି। ବିଜେପି ପ୍ରଥମ ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନେକ ଦିଗ୍ଗଜ ନେତାଙ୍କ ନାମ ରହିଛି। ବିଜେପିର ପ୍ରାର୍ଥୀ ତାଲିକାରେ ମୋଟ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି। ତେବେ ଏପର୍ଯ୍ୟନ୍ତ କଂଗ୍ରେସର ପ୍ରାର୍ଥୀ ସୂଚୀ ସ୍ପଷ୍ଟ ହୋଇ ନାହିଁ। ହେଲେ ନିକଟ ଭବିଷ୍ୟତରେ କଂଗ୍ରେସ ସମେତ ମେଣ୍ଟ ଦଳଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି ଅନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.