ମୁମ୍ବାଇ ୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ହଜାରେ କହିଛନ୍ତି ଯେ କେଜରିୱାଲଙ୍କୁ ରାଜନୀତିରେ ପ୍ରବେଶ ନ କରିବାକୁ ଏହା ବଦଳେ ସମାଜ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲି। ଏଥିରୁ ଅଧିକ ଖୁସି ମିଳିବ ବୋଲି କହିଥିଲି।
ଆନ୍ନା ହଜାରେ କହିଛନ୍ତି ଯେ ଆମେ ଅନେକ ବର୍ଷ ପର୍ଯ୍ୟନ୍ତ ଏକାଠି କାମ କରିଥିଲୁ। ସେତେବେଳେ ତାଙ୍କୁ ଅନେକ ଥର କହିଥିଲି ସମାଜ ସେବା ଖୁସି ଦିଏ। ଏଣୁ ଖୁସି ବଢାଅ, ହେଲେ ସେ ମୋ କଥାରେ ମନ ଦେଇନଥିଲେ। ଆଜି ଯାହା ହେବାର ଥିଲା ହୋଇଗଲାଣି। ଉଲ୍ଲେଖଯୋଗ୍ୟ ଯେ କେଜରିୱାଲଙ୍କ ସମ୍ପର୍କରେ ଆନ୍ନା ହଜାରେ ପ୍ରତିକ୍ରିୟା ଦେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ମାମଲାରେ କେଜରିୱାଲଙ୍କ ଗିରଫ ଉପରେ ପ୍ରତିକ୍ରିୟା ରଖିଥିଲେ।
ସେତେବେଳେ ହଜାରେ କହିଥିଲେ ଯେ ମୋ ସହିତ କାମ କରିଥିବା ଓ ମଦକୁ ବିରୋଧ କରୁଥିବା ଅରବିନ୍ଦ କେଜରିୱାଲ ଏବେ ମଦ ନୀତି ତିଆରି କଲେଣି ଏହା ଜାଣି ମୁଁ ବହୁତ ବ୍ୟଥିତ। ତାଙ୍କ କର୍ମ ଯୋଗୁ ହିଁ ସେ ଗିରଫ ହୋଇଛନ୍ତି ବୋଲି ଆନ୍ନା ହଜାରେ କହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବି ବୋଲି ଅରବିନ୍ଦ କେଜରିୱାଲ ଘୋଷଣା କରିବା ପରେ ଆନ୍ନା ହଜାରେ ଏପରି ପ୍ରତିକ୍ରିୟା ଦେଇଛନ୍ତି। କେଜରିୱାଲ କହିଛନ୍ତି ଯେ ପଦରୁ ଇସ୍ତଫା ଦେବା ପରେ ଜାତୀୟ ରାଜଧାନୀରେ ସମୟ ପୂର୍ବ ନିର୍ବାଚନ କରାଇବା ପାଇଁ ନିବେଦନ କରିବେ ବୋଲି କହିଛନ୍ତି।