ବିଜେପି ଦେଖାଇଥିଲା ଦୁର୍ନୀତି ମୁକ୍ତ ଭାରତର ସ୍ୱପ୍ନ, କ’ଣ ସେ ସବୁ ପ୍ରତିଶ୍ରୁତି ମିଥ୍ୟା ? ଆନ୍ନା ହଜାରେ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୮:  ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଗତ ସୋମବାର ସମାଜସେବୀ ତଥା ଦୁର୍ନୀତି ବିରୋଧରେ ଦେଶରେ ଶ୍ୱର ଉତ୍ତୋଳନ କରୁଥିବା ଆନ୍ନା ହଜାରେଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଆମ ଆଦମୀ ପାର୍ଟି ଭ୍ରଷ୍ଟାଚାରରେ ଲିପ୍ତ ବୋଲି ଦିଲ୍ଲୀ ଆସି ଲୋକଙ୍କୁ କୁହନ୍ତୁ ବୋଲି ଉଲ୍ଲେଖ କରିଥିଲେ। ଗୁପ୍ତାଙ୍କ ପତ୍ର ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ଆନ୍ନା ଏହାର ଜବାବ ରଖିଛନ୍ତି।

ଆନ୍ନା ହଜାରେ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ଅନୁରୋଧକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଗତ ୬ ବର୍ଷ ହେଲା ଦେଶର ଶାସନ ଡୋରୀ ସମ୍ଭାଳିଛି। ଯୁବ ଶକ୍ତି ଏକ ରାଷ୍ଟ୍ର ଶକ୍ତି। ଆପଣଙ୍କ ପାର୍ଟିରେ ସବୁଠୁ ଅଧିକ ଯୁବ ସଦସ୍ୟ ଅଛନ୍ତି ଓ ବିଶ୍ୱର ସର୍ବାଧିକ ସଦସ୍ୟ ଥିବା ପାର୍ଟି ବୋଲି ଦାବି କରୁଛନ୍ତି। ଏଥିରେ ୧୦ରେ ୧୨ ଫୁଟର ଏକ ମନ୍ଦିରରେ ଆଶ୍ରୟ ନେଇଥିବା ୮୩ ବର୍ଷ ବୟସ୍କ ଜଣେ ଜରାଗ୍ରସ୍ତ ବୃଦ୍ଧଙ୍କୁ ଆନ୍ଦୋଳନ କରିବାକୁ ଦିଲ୍ଲୀ ଡାକିବାଠାରୁ ଅଧିକ ଦୁର୍ଭାଗ୍ୟ କ’ଣ ହୋଇପାରେ ବୋଲି ଆନ୍ନା ହଜାରେ ପ୍ରଶ୍ନ କରିଛନ୍ତି।

ଆଜି କେନ୍ଦ୍ରରେ ଆପଣଙ୍କର ସରକାର, ଦିଲ୍ଲୀ ସରକାରଙ୍କର ମଧ୍ୟ ଅନେକ ବିଷୟ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ। ସିବିଆଇ, ଆର୍ଥିକ ଅପରାଧ ଶାଖା ଓ ସର୍ବୋପରି ଦିଲ୍ଲୀ ପୋଲିସ ମଧ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ। ଦେଶରୁ ଦୁର୍ନୀତିର ମୂଳତ୍ପୋଟନ ଲାଗି ପ୍ରଧାନମନ୍ତ୍ରୀ ଅନେକ ସମୟରେ ବିଭିନ୍ନ ପଦକ୍ଷେପ ନେଇଥିବାର ଦାବି କରୁଛନ୍ତି। ଏଥିରେ ଯଦି ଦିଲ୍ଲୀ ସରକାର ଭ୍ରଷ୍ଟାଚାରରେ ଲିପ୍ତ ବୋଲି ଆପଣ ଜାଣୁଛନ୍ତି ଆପଣଙ୍କ ସରକାର କାର୍ଯ୍ୟାନୁଷ୍ଠାନ ନ କରି ଆପଣଙ୍କ ଦ୍ୱାରା ଆନ୍ଦୋଳନ କାହିଁକି କରୁଛନ୍ତି ବୋଲି ଆନ୍ନା ହଜାରେ ପ୍ରଶ୍ନ କରିଛନ୍ତି।

୮୩ ବର୍ଷ ବୟସରେ ସମାଜ, ରାଜ୍ୟ ଓ ଦେଶର ଭଲ କରିବା ଲାଗି ଗତ ୨୨ ବର୍ଷରେ ଦେଶର ପୃଥକ ପୃଥକ ସ୍ଥାନରେ ଅଲଗା ଅଲଗା ଆନ୍ଦୋଳନ କରିଛି ବୋଲି ଆନ୍ନା କହିଛନ୍ତି। ଏଥିରେ ସେ ୨୦ ଥର ଅନସନ କରିଥିବା ବେଳେ ତାଙ୍କ ଆନ୍ଦୋଳନ ଲାଗି ୬ ଜଣ ମନ୍ତ୍ରୀଙ୍କୁ ଅତୀତରେ ପଦ ହରାଇବାକୁ ପଡିଛି। ଏଥିରେ ସବୁ ଦଳର ମନ୍ତ୍ରୀ ଅଛନ୍ତି। ମୁଁ ପାର୍ଟି ଅଥବା ପକ୍ଷକୁ ଦେଖି ଆନ୍ଦୋଳନ କରେନି। କୌଣସି ରାଜନୈତିକ ଦଳ ସହ ମୋର କୌଣସି ନେଣଦେଣ ନାହିଁ। କେବଳ ଗାଁ, ସମାଜ ଓ ଦେଶର ଭଲ ହେବ ବୋଲି ଭାବି ଆନ୍ଦୋଳନ କରୁଛି ବୋଲି ଆନ୍ନା କହିଛନ୍ତି।

ତେବେ ବିଜେପି ପ୍ରଦେଶ ଅଧ୍ୟକ୍ଷ ଗତ ୨୪ ତାରିଖ ଦିନ ଆନ୍ନା ହଜାରେଙ୍କୁ ଲେଖିଥିବା ପତ୍ରରେ ଦିଲ୍ଲୀ ଆସି ଲୋକପାଳ ଭଳି ଆନ୍ଦୋଳନରେ ଯୋଗଦେବା ସହ ବିଜେପିର ସାଥ ଦିଅନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.