ଜାନୁଆରୀ ୩୦ ତାରିଖରୁ ପୁଣି ଅନଶନରେ ବସିବେ ଆନ୍ନା ହଜାରେ

Published By : Prameya-News7 Bureau | January 21, 2019 IST

ଦିଲ୍ଲୀ ୨୧/୧ : ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ଆସନ୍ତା ୩୦ ତାରିଖରେ ଅନଶନ କରିବେ | ପୁଣିଥରେ ଲୋକପାଳ ଏବଂ ଲୋକାଯୁକ୍ତ ନିଯୁକ୍ତି ଦାବିରେ ଆନ୍ନା ହଜାରେ ଅନଶନ ଆରମ୍ଭ କରିବେ | ହଜାରେ ତାଙ୍କ ଗାଁ ରାଲେଗଡ଼ ସିଦ୍ଧି ଠାରୁ ଏହି ଅନଶନ ଆରମ୍ଭ କରିବେ | ନିକଟରେ ଆନ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଲୋକାଯୁକ୍ତ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ | ଶନିବାର ଦିନ ଆନ୍ନା କହିଥିଲେ ଯେ, ୨୦୧୩ ମସିହାରେ ଲୋକପାଳ ଆଇନ ତିଆରି ହୋଇଥିଲା | ଏହାପରେ ୨୦୧୪ ମସିହାଠାରୁ ବିଜେପି ସରକାର ଦେଶରେ ଶାସନ କରୁଛି | ଏନେଇ ବିଜେପି ସରକାର କିଛି କରିବେ ବୋଲି ସେ ଆଶା କରିଥିଲେ | କିନ୍ତୁ ଗତ ୫ ବର୍ଷ ମଧ୍ୟରେ କିଛି ବି ହୋଇନଥିଲା ବୋଲି ଆନ୍ନା କହିଥିଲେ | ସେଥିପାଇଁ ଆସନ୍ତା ୩୦ ତାରିଖରେ ନିଜ ଗାଁ ରାଲେଗଡ଼ ଠାରୁ ଅନଶନ କରିବେ ବୋଲି ସେ ନିଷ୍ପତ୍ତି ନେଇଥିବା କହିଛନ୍ତି |

ଆନ୍ନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠିରେ ଲେଖିଥିଲେ ଯେ, " ଆପଣ ଶାସନ ପାଇଁ ସତ୍ୟକୁ ଛାଡିଦେଇଛନ୍ତି | ଆପଣଙ୍କ ସରକାର ସାଧାରଣ ଜନତାଙ୍କ ସହ ବିଶ୍ୱାସଘାତକତା କରୁଛି | ସେଥିପାଇଁ ଆମେ ୩୦ ତାରିଖରୁ ଅନଶନରେ ବସିବୁ |"

{"id":76449,"width":587,"height":329}

ସେ ଆହୁରି ଲେଖିଥିଲେ ଯେ, ମୋଦି ଶାସନକୁ ଆସିବା ପରେ ଦେଶର ଜନତାଙ୍କୁ ଜଣେ ସମାଜସେବା କଲାଭଳି ନେତା ମିଳିଲା ବୋଲି ସେ ଭାବିଥିଲେ | କିନ୍ତୁ ଶାସନର ୫ବର୍ଷ ପୂରଣ ହେବାକୁ ବସିଲାଣି ହେଲେ, ଲୋକପାଳ ବିଲକୁ ନେଇ ସରକାର ଆଜିଯାଏଁ ଉଦାସୀନ ମନୋଭାବ ପୋଷଣ କରିଛନ୍ତି | ଲୋକପାଳ ଭଳି ମହତ୍ଵପୁର୍ଣ ଆଇନକୁ କାର୍ଯ୍ୟକାରୀ ନକରି ସରକାର ବାରମ୍ବାର ମିଛ କହିଛନ୍ତି | ସରକାରଙ୍କ ଏହି ମିଛକୁ ସେ ସହ୍ୟ କରିପାରୁନାହାନ୍ତି ବୋଲି କହିଛନ୍ତି |

ଆନ୍ନା ଆହୁରି କହିଛନ୍ତି ଯେ, ସ୍ୱୟଂ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ସାମ୍ବିଧାନିକ ସଂସ୍ଥା ନିୟମ ପାଳନ କରୁନାହାନ୍ତି | ଯାହାକୁ ଦେଖି ସେ ଦେଶର ଲୋକତନ୍ତ୍ର ବିପଦରେ ଥିବା ଭଳି ଅନୁଭବ କରୁଛନ୍ତି ବୋଲି କହିଛନ୍ତି | ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟର ନିର୍ଦେଶ ପରେ ମଧ୍ୟ ସରକାର ଚୁପ ଥିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି | ସେ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଯେଉଁ ସରକାର ଜନତାଙ୍କ ସମସ୍ୟା ବୁଝିନି ସେହି ସରକାରକୁ ଜନତା ଆଦର୍ଶ ଭାବେ କିଭଳି ଗ୍ରହଣ କରିବ |

{"id":76450,"width":587,"height":391}

ଗତଥର ଆନ୍ନାଙ୍କ ଆନ୍ଦୋଳନରେ ରାଜନୈତିକ ଦଳ ଯୋଗଦେବାରୁ ଅନେକ ସମସ୍ୟା ଉପୁଜିଥିଲା | ସେଥିପାଇଁ ଏଥର ତାଙ୍କ ଅନଶନ ଓ ଆନ୍ଦୋଳନରେ କୌଣସି ରାଜନୈତିକ ଦଳ ସାମିଲ ହେବେନାହିଁ ବୋଲି ଆନ୍ନା ସ୍ପଷ୍ଟ କରିଛନ୍ତି | କିନ୍ତୁ ଏହି ଅନଶନରେ ଯୋଗେନ୍ଦ୍ର ଯାଦବ, ପ୍ରଶାନ୍ତ ଭୂଷଣ, ଶାନ୍ତି ଭୂଷଣ ଏବଂ କୁମାର ବିଶ୍ଵାସଙ୍କ ଭଳି କେତେକ ପୁରୁଣା ସହଯୋଗୀ ନିଜର ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇପାରନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.