ଦଶପଲ୍ଲା ପୂର୍ବତନ ବିଡିଓଙ୍କ ଘରଭଙ୍ଗା ଘଟଣା, ଜିଲ୍ଲା ଓଏଏସ୍ ସଂଘର ଆନ୍ଦୋଳନ ଧମକ
17/06/2020 at 8:17 AM

ନୟାଗଡ ୧୭।୦୬: ଦଶପଲ୍ଲାର ପୂର୍ବତନ ବିଡିଓଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା ଘଟଣାରେ ଜିଲ୍ଲା ଓଏଏସ୍ ସଂଘର ଆନ୍ଦୋଳନ ଧମକ । ଓଏଏସ୍ ଅଧିକାରୀମାନେ ଏକ ଜରୁରୀ ବୈଠକ ଡାକି ଏହି ନିଷ୍ପତ୍ତି ନେବା ସହ ଏସ୍ ପିଙ୍କ ଆଗରେ ଏନେଇ ଅଭିଯୋଗ କରିଛନ୍ତି । ଆଜି ଓଏଏସ୍ ଅଧିକାରୀମାନେ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଶୁକ୍ରବାରଠାରୁ ଅଧିକାରୀମାନେ କଲମଛାଡ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।
ଗତ ରବିବାର ଦଶପଲ୍ଲାର ପୂର୍ବତନ ବିଡିଓ ଦେବୀପ୍ରସାଦ ମହାନ୍ତିଙ୍କ ବ୍ଲକ୍ ପରିସରରେ ଥିବା ସରକାରୀ ବାସଭବନରେ ୧୦ରୁ ଅଧିକ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତମାନେ ଘରର ଲୁହା ଗ୍ରିଲ୍ ଓ କବାଟ ତାଡି ଦେବା ସହ କାଚ ଝରକା ଭାଙ୍ଗି ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାରୁ ଦେବୀପ୍ରସାଦ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ପୋଲିସ ସୋନାନଙ୍କୁ ଫେରାର କରିବାରେ ସାହାଯ୍ୟ କରୁଛନ୍ତି ବୋଲି ବିଡିଓ ଅଭିଯୋଗ କରିଛନ୍ତି । ସିଧାସଳଖଭାବେ ଏଥିପାଇଁ ଦଶପଲ୍ଲା ଥାନାଅଧିକାରୀ ଦାୟୀ ବୋଲି ସେ କହିଛନ୍ତି । ଅଭିଯୁକ୍ତମାନେ ଛାଡିଥିବା ତିନୋଟି ବାଇକ୍ କୁ ଜବତ କରି ପୋଲିସ ଚୁପ୍ ବସିଥିବା ସଂଘ ଅଭିଯୋଗ କରିଛି । ଦେବୀପ୍ରସାଦଙ୍କ ଗତ କିଛି ଦିନ ତଳେ ବଦଳି ହୋଇଥିଲା । ଲକ୍ ଡାଉନ୍ ଯୋଗୁ ସେ କ୍ବାର୍ଟର୍ ଛାଡିପାରି ନାହାଁନ୍ତି ।