ଆନ୍ଧ୍ର-ତେଲେଙ୍ଗାନାରେ ବନ୍ୟା ବିତ୍ପାତ: ଏବେ ସୁଦ୍ଧା ୩୧ ମୃତ, ୪ ଲକ୍ଷରୁ ଅଧିକ ପ୍ରଭାବିତ

Published By : Prameya-News7 Bureau | September 03, 2024 IST

ଆନ୍ଧ୍ରପ୍ରଦେଶ ୩/୯: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଓ ବନ୍ୟା ବିତ୍ପାତ । ବୁଡିଲା ରେଳ ଷ୍ଟେସନ । ଧୋଇନେଲା ରେଳ ଟ୍ରାକ । ରାସ୍ତାରେ ଚାଲିଛି ୫ ଫୁଟ୍‌ରୁ ଅଧିକ ପାଣି । ପାଣି ସୁଅରେ ଭାସିଗଲା ଟ୍ରକ ଓ କାର୍‌ । ହେକ୍ଟର ହେକ୍ଟର ଜମିରେ ପଶିଛି ବର୍ଷା ପାଣି । କିଛି ଦିନ ଧରି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ୩୧ ଜଣଙ୍କ ଜୀବନ ଗଲାଣି । ତେଲେଙ୍ଗାନାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୫ ଜଣ ପ୍ରାଣ ହରାଇଛନ୍ତି । ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । 

 ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବିଜୟୱାଡାରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ ଓ ସଡକ ପଥ । ଆନ୍ଧ୍ରରେ ଏକାଧିକ ଟ୍ରେନ ଟ୍ରାକ ଉପୁଡି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏବେ ସୁଦ୍ଧା ୪୩୨ଟି ଟ୍ରେନ ବାତିଲ ହୋଇଛି । 

ବିଜୟୱାଡା ନିକଟ ରାୟନପାଡୁ ଷ୍ଟେସନ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇୟାଇଛି । ପୁରା ଷ୍ଟେସନ ପାଣି ଘେରରେ ଥିବା ଟ୍ରେନ ସବୁ ଅଟକି ରହିଛି । ଏପଟେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବାୟୁ ସେନା ଆକାଶମାର୍ଗରୁ ଲୋକଙ୍କୁ ଉଦ୍ଧାର କରୁଛି । ଲୋକଙ୍କ ପାଖରେ ଖାଦ୍ୟ,ପାନୀୟ ଓ ଔଷଧ ପଠାଯାଉଛି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା କରିବା ନେଇ ଦେଇଛନ୍ତି ଆଶ୍ବାସନା । 

  • telengana
  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.