ସୁପ୍ରିମକୋର୍ଟ କଲେଜିୟମର ବଡ ନିଷ୍ପତ୍ତି, ବଦଳିଲେ ଆନ୍ଧ୍ର ଏବଂ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: ସୁପ୍ରିମକୋର୍ଟ କଲେଜିୟମର ବଡ ନିଷ୍ପତ୍ତି । ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ମୁଖ୍ୟ ବିଚାରପତିଙ୍କୁ ବଦଳି କରାଯାଇଛି । ଏହି ବଦଳି ଏମିତି ସମୟରେ ହୋଇଛି ଯେଉଁଠି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ନ୍ୟାୟପାଳିକାର ଅବମାନନା ମାମଲାରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ନିରପେକ୍ଷତାକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ମୁଖ୍ୟ ବିଚାରପତି ଏସ୍ ଏ ବୋବଡେଙ୍କୁ ଏକ ଚିଠି ଲେଖାଯାଇଛି ।

ଭାରତର ମୁଖ୍ୟ ବିଚାରପତି ବୋବଡେଙ୍କ ନେତୃତ୍ବାଧିନ କଲେଜିୟମ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଜେ କେ ମାହେଶ୍ବରୀଙ୍କୁ ସିକ୍କିମ ହାଇକୋର୍ଟ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ୩୭ ବିଚାରପତିଙ୍କ କ୍ଷମତା ବିଶିଷ୍ଟ ଆନ୍ଧ୍ର ହାଇକୋର୍ଟର ନେତୃତ୍ବ ନେଉଥିବା ମହେଶ୍ବରୀ ବର୍ତ୍ତମାନ ୩ ଜଣ ବିଚାରପତିଙ୍କ କ୍ଷମତା ବିଶିଷ୍ଟ ସିକ୍କିମ ହାଇକୋର୍ଟର ଦାୟିତ୍ବ ଗ୍ରହଣ କରିବେ । ଏଥି ସହିତ ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଏ  କେ ଗୋସ୍ବାମୀଙ୍କୁ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ସୁପାରିଶ କରାଯାଇଛି ।

ଏହାସହ କଲେଜିୟମ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଆର୍ ଏସ୍ ଚୌହାନଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଠାରେ ଜଷ୍ଟିସ ରବି ମାଲିମଥ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅଛନ୍ତି । ଏହାସହ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ହିମା କୋହଲିଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ସୁପାରିଶ କରାଯାଇଛି ।

ଆନ୍ଧ୍ରପ୍ରଦେଶର ମୁଖ୍ୟ ବିଚାରପତିଙ୍କ ବଦଳି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ । ବାସ୍ତବରେ ଦୁଇ ମାସ ପୂର୍ବେ ଘଟିଥିବା ନାଟକୀୟ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ସୁପ୍ରିମକୋର୍ଟର ଜଷ୍ଟିସ୍ ଏନ୍ ଭି ରମନ୍ନାଙ୍କ ବିରୋଧରେ ମୁଖ୍ୟ ବିଚାରପତି ବୋବଡେଙ୍କୁ ଏକ ଚିଠି ଲେଖିଥିଲେ । ରେଡ୍ଡୀ, ରମନ୍ନାଙ୍କ ଉପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କିଛି ବିଚାରପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମିଶି ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ ।

କଲେଜିୟମ ଏହାସହ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ଏସ୍ ମୁରଲୀଧରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି କରାଯିବ। ଏହାସହ ଜଷ୍ଟିସ୍ ସଞ୍ଜୀବ ବାନାର୍ଜୀଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.