ଭୁବନେଶ୍ଵର ୧୩।୦୯: ଗଜପତିର ସୀମାନ୍ତ ଗାଁ ମାଣିକପାଟଣାରେ ନିଜ ସ୍ଥିତି ଜାହିର କରିବା ଉଦ୍ୟମ ଚଳାଇଛି ଆନ୍ଧ୍ର । ସୀମା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେବାର ଫାଇଦା ଉଠାଇବାକୁ ଆନ୍ଧ୍ର ଚାହିଁ ବସିଛି । ପୋଲିସ ଲଗାଇ ଧମକ ଚମକ ଦେବା ପରେ ଏବେ ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ନାଁରେ ମିଛ କେସ୍ ଲଗାଇଲାଣି । ସେପଟେ ନିଜ ସମର୍ଥକଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଲୋକଙ୍କୁ ବୁଝାଇବାକୁ ଯିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।
ଓଡିଶାର ନରମ ଦେଖି ଗରମ ଖାଉଛି ଆନ୍ଧ୍ର । ପଡୋଶୀ ରାଜ୍ୟ ନୁହେଁ ପଡୋଶୀ ଦେଶ ଭଳି ଆଚରଣ ଦେଖାଇଲାଣି। ଡରାଇ ଧମକାଇ ଓଡିଶା ସୀମାନ୍ତ ଗାଁକୁ ନିଜର କହି ମାଡିବସିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ର ମନ୍ତ୍ରୀ ନିଜେ ବିସ୍ତାରବାଦର ନେତୃତ୍ଵ ନେଉଛନ୍ତି । ପୋଲିସ ଲଗାଇ ଲୋକଙ୍କୁ ଡରାଇବା ପରେ ଏବେ ମିଛ କେସରେ ଆଦିବାସୀ ଓ ସ୍ଥାନୀୟ ନେତାଙ୍କୁ ଛନ୍ଦିବାକୁ ଚେଷ୍ଟା କରୁଛି ଆନ୍ଧ୍ର ପ୍ରଶାସନ । ସବୁଠୁ ବିରୋଧ ପରେ ଆନ୍ଧ୍ର କିଛିଟା ନରମିଛି ସତ ହେଲେ ମୁହଁ ଟାଣ ଛାଡୁନି । ଏବେ ବି କିଛି ଅଧିକାରୀ ଓ ସାଦା ପୋଷାକଧାରୀ ମଝିରେ ମଝିରେ ପଇଁତରା ମାରୁଛନ୍ତି ।
ଓଡିଶା ଲୋକଙ୍କ ପ୍ରତିବାଦକୁ ଚାପି ବାକୁ ଏବେ ମିଛ କେସର ସାହାରା ନେଇଛି ଆନ୍ଧ୍ର ପ୍ରଶାସନ । ମାଣିକପଟଣାରେ ଆନ୍ଧ୍ର ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ ବିରୋଧ କରୁଥିବା ସ୍ଥାନୀୟ ଗଙ୍ଗାବାଡର ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ମିଥ୍ୟା ମାମଲାରେ ଛନ୍ଦିଛି ଆନ୍ଧ୍ର ପ୍ରଶାସନ। ଏନେଇ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି ହରିବନ୍ଧୁ ଏବଂ ଗାଁ ଲୋକେ। ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି ।
ମାଣିକପାଟଣାରେ ୯ ତାରିଖରେ ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ କରିବାକୁ ଆସିବା ବେଳେ ବିରୋଧ କରିବାରୁ ଗଜପତି ଏଡିଏମକୁ ଆନ୍ଧ୍ର ପଶୁସମ୍ପଦ ମନ୍ତ୍ରୀ ଏସ.ଆପଲା ରାଜୁ ଗାଳିଦେବା ସହ ଓଡିଶାର ଅଙ୍ଗନୱାଡି କେନ୍ଦ୍ର ଉଡାଇଦେବାକୁ ଧମକ ଦେଇଥିଲେ । ହେଲେ ଗଜପତି ଜିଲ୍ଲା ପ୍ରଶାସନ ଏଯାଏଁ କିଛି ବି ପଦକ୍ଷେପ ନେଇନି । ଏହାର ସୁଯୋଗ ନେଇ ସେହି ଅଞ୍ଚଳର ଅନ୍ୟ ସାତଟି ଗ୍ରାମ ଚମ୍ପାପୁର , ବୁରୁସିଂ , ଅମାରିଂ , ମାଧିଆଖୋଲ , ଆଖଡା , ଗୁଡୁଖୁଡିରେ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଆନ୍ଧ୍ର ଯୋଜନା ଚଳାଉଛି। ହେଲେ ଗଜପତି ଜିଲ୍ଲା ପ୍ରଶାସନର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଲୋକଙ୍କ ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ଉନୟନ ମୁଳକ କାର୍ଯ୍ୟ ହାତକୁ ନିଆଯାଇଛିବୋଲି କହିଛନ୍ତି। କିନ୍ତୁ ଆନ୍ଧ୍ର ମନ୍ତ୍ରୀଙ୍କ ଦାଦାଗିରି ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି । ସେପଟେ ସ୍ଥାନୀୟ ମୋହନା ବିଧାୟକ କହିଛନ୍ତି ନିଜ ସମର୍ଥକ ଓ ସ୍ଥାନୀୟ ନେତାଙ୍କୁ ନେଇ ସୀମାନ୍ତ ଗାଁକୁ ଯାଇ ସେ ଲୋକଙ୍କୁ ବୁଝାଇବେ।