ଆନ୍ଧ୍ର ବିଧାୟକଙ୍କୁ ନକ୍ସଲଙ୍କ ହତ୍ୟା ଘଟଣା: ଫଟୋ ଜାରି କଲା ପୋଲିସ, ଓଡିଶା ସୀମାନ୍ତରେ ସତର୍କତା

Published By : Prameya-News7 Bureau | September 25, 2018 IST

ଭୁବନେଶ୍ବର୨୫|୯: ଆନ୍ଧ୍ରର ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା କରିବା ପରେ ଜାରି ହୋଇଛି ହତ୍ୟାକାରୀଙ୍କ ଫଟୋ । ଏଥିରେ ସଂପୃକ୍ତ ୩ ମାଓବାଦୀଙ୍କ ଫଟୋ ଜାରି କରିଛି ବିଶାଖପାଟଣା ଗ୍ରାମାଞ୍ଚଳ ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ମହିଳା କ୍ୟାଡର ମାଓବାଦୀ । ସେପଟେ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।… ଫଟୋରେ ଅଛନ୍ତି ୩ ଦୁର୍ଦ୍ଦାନ୍ତ ମାଓବାଦୀ । ଯେଉଁମାନେ ଆନ୍ଧ୍ରପ୍ରଦେଶ ବିଶାଖା ଜିଲ୍ଲା ଅରାକୁ ର ଟିଡିପି ବିଧାୟକ କିଡାରି ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ସିଭେରୀ ସୋମାଙ୍କୁ ହତ୍ୟା ପାଇଁ ମାଷ୍ଟର ପ୍ଲାନ୍ କରିବା ସହ ଏଥିରେ ସାମିଲଥିଲେ । ଏହି ମାଓବାଦୀଙ୍କ ଫଟୋ ଜାରି କରିଛି ବିଶାଖପାଟଣା ଗ୍ରାମାଞ୍ଚଳ ପୋଲିସ । ଏହି ୩ ଦୁର୍ଦ୍ଦାନ୍ତ ମାଓବାଦୀ ହେଲେ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲା ଦବାପାଲେମ ଗାଁର ଜାଲୁମୁରୀ ଶ୍ରୀନୁ ବାବୁ ଓରଫ ସୁନିଲ୍‌ ଓରଫ ରିନୁ , ପଶ୍ଚିମ ଗୋଦାବରୀ ଜିଲ୍ଲା ଭୀମାଭରମର କାମେଶ୍ବରୀ ଓରଫ ସ୍ବରୂପା, ଭାଇଜାଗ୍‌ ପେଣ୍ଡୁର୍ତ୍ତି ମଣ୍ଡଳର ଭେଙ୍କଟା ରବି ଚୈତନ୍ୟ ଓରଫ ଅରୁଣା । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ମହିଳା କ୍ୟାଡର ମାଓବାଦୀ । ବିଶେଷକରି ଏହି ହତ୍ୟା ଯୋଜନାର ମାଷ୍ଟର ପ୍ଲାନ କରିଥିଲେ ଏହି ୨ ମହିଳା ମାଓବାଦୀ । ଏମାନେ ସମସ୍ତେ ଆନ୍ଧ୍ର ଓଡିଶା ବର୍ଡର ନକ୍ସଲ ସଂଗଠନର ମାଓବାଦୀ ।ଏମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ସେପଟେ ଆନ୍ଧ୍ରର ଦୁଇ ଟିଡିପି ନେତାଙ୍କ ହତ୍ୟା ପରେ ମାଲକାନଗରି ଜିଲ୍ଲାରେ ସୁରକ୍ଷା ବ୍ୟାବସ୍ଥାକୁ କଡାକଡି କରାଯାଇଛି । ହତ୍ୟାକାଣ୍ଡ ପରେ ନକ୍ସଲମାନେ ଓଡିଶା ମୁହାଁ ହୋଇଛନ୍ତି । ଏମାନେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଥିବା ଅନୁମାନ କରାଯାଉଛି ।ସେମାନଙ୍କୁ ଧରିବା ଲାଗି ସୀମାନ୍ତ ଅଞ୍ଚଳରେ ଏସ୍‌ଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଛି । ଏହା ସହ ଜିଲ୍ଲାର ସମସ୍ତ ଥାନା ଓ ପୋଲିସ କ୍ୟାମ୍ପକୁ ଆଲର୍ଟ କରାଯାଇଛି । ଛତିଶଗୋଡ ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ନକ୍ସଲ ଅପରେସନ ଲାଗି ମାଲକାନଗିରି ପୋଲିସ ଡ୍ରୋକ୍ୟାମେରାର ସହାୟତା ନେଛି । ସେହିଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ଖୋଲା ଖୋଲି ବୁଲୁଥିବା ନେତାଙ୍କୁ ସତର୍କ କରିଛନ୍ତି ମାଲକାନଗିରି ଏସପି । ବିଧାୟକ ଓ ସାଂସଦ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନା କିମ୍ବା ଏସପିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ଟିଡିପି ନେତାଙ୍କ ହତ୍ୟା ଅପରେସନ୍‌ରେ କେବଳ ଆନ୍ଧ୍ର ମାଓବାଦୀ ନୁହନ୍ତି ଛତିଶଗଡ ଓ ଓଡ଼ିଶାର ମାଓବାଦୀମାନେ ସାମିଲ ଥିବା ପୋଲିସ ଅନୁମାନ କରୁଛି ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.