ଜମନକିରା ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣାରେ ୩ ଆନ୍ତଃ ରାଜ୍ୟ ଡକାୟତ ଗିରଫ

Published By : Prameya-News7 Bureau | September 01, 2018 IST

ସମ୍ବଲପୁର ୧/୯ : ଅଗଷ୍ଟ ୩ ତାରିଖରେ ସମ୍ବଲପୁର ଜିଲ୍ଲା ଜମନକିରା ଆନ୍ଧ୍ର ବ୍ୟାଙ୍କରେ ହୋଇଥିବା ଡକାୟତି ଘଟଣାର ପର୍ଦାଫାଶ ହୋଇଛି | ପୋଲିସ ୩ ଜଣ ଆନ୍ତଃ ରାଜ୍ୟ ଡକାୟତଙ୍କୁ ଗିରଫ କରିଛି | ସେମାନେଙ୍କଠୁ ୧ ଲକ୍ଷ ୭୫ ହଜାର ଟଙ୍କା, ଗୋଟିଏ କଳା ପଲସର ଗାଡି, ୩ଟି ଦେଶୀ ପିସ୍ତଲ, ୧୨ ଟି ମୋବାଇଲ ଫୋନ ଜବତ କରିଛି | ଏମାନଙ୍କୁ ପଶ୍ଚିମବଙ୍ଗର ହାୱଡାରୁ ଗିରଫ କରାଯାଇଛି | ଗିରଫ ହୋଇଥିବା ଡକାୟତମାନେ ହେଲେ ଝାରସୁଗୁଡାର ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁ, ବରଗଡ଼ ଅମ୍ବଭନାର ରାକେଶ ବେହେରା ଏବଂ ରାଞ୍ଚିର ଗଙ୍ଗା ସାଗର ରାଏ | ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩ ତାରିଖ ଦିନ ଅପରାହ୍ନ ୩ ଟ ବେଳେ ଗୋଟିଏ କଲା ପଲସର ମାତ୍ର ସାଇକଲରେ ଏହି ୩ ଜଣ ଜମନକିରା ଆନ୍ଧ୍ର ବ୍ୟାଙ୍କରେ ପହଂଚିଥିଲେ | ବ୍ୟାଙ୍କ ମଧ୍ୟରେ ପିସ୍ତଲ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଗୋଟିଏ ରୁମରେ ବନ୍ଦ କରିଦେଇଥିଲେ | ବ୍ୟାଙ୍କରୁ ନଗଦ ୧୦ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଥିଲେ | ଘଟଣା ପରେ ଡିଏସପି ଶ୍ରୀମନ୍ତ ବାରିକ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମେହେର , ସବ ଇନ୍ସପେକ୍ଟର ସୁରେଶ ସାହୁ ଏବଂ ଷ୍ଟେନୋଗ୍ରାଫର ବିନୋଦ ସାହୁଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ ହୋଇଥିଲା | ଏହି ଟାସ୍କ ଫୋର୍ସ ଗତକାଲି ଡକାୟତମାନଙ୍କୁ ଧରିଛନ୍ତି ବୋଲି ସମ୍ବଲପୁର ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ଶ୍ରୀ ଅରୋରା କହିଛନ୍ତି ଯେ, ୩ ତାରିଖ ଦିନ ଏମାନେ ବ୍ୟାଙ୍କରେ ଡକାୟତି କରିବା ପୂର୍ବରୁ ଝାରସୁଗୁଡାରେ ଏକ ଘର ଭଡା ନେଇ ରହିଥିଲେ | ୨/୪ ଥର ବ୍ୟାଙ୍କକୁ ଆସି ରେକୀ କରିଥିଲେ | ଘଟଣା ଘଟାଇବା ପରେ ଏମାନେ ସିଧା ରାଞ୍ଚି ଯାଇ ଗଙ୍ଗା ସାଗର ରାଏ ଘରେ ରହିଥିଲେ ଏବଂ ପରେ କୋଲକାତା ପଳାଇଥିଲେ | ଏମାନଙ୍କୁ ପୋଲିସ ହାୱଡାରୁ ଗିରଫ କରିବା ପରେ ଝାରସୁଗୁଡା ଆଣିଥିଲେ ଓ ସେଠାରୁ ପିସ୍ତଲ, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଜବତ କରିଥିଲେ | ସୂଚନାଯୋଗ୍ୟ ଯେ, ଗିରଫ ଚିଆଁ ନାଁରେ ଓଡିଶା ଓ ଛତିଶଗଡ଼ରେ ୧୨ ଟି ବ୍ୟାଙ୍କ ଡକାୟତି ଓ ଗୋଟିଏ ହତ୍ୟା ମାମଲା ରହିଛି | ସେହିଭଳି ଗଙ୍ଗା ସାଗର ରାଏ ବିରୋଧରେ ମଧ୍ୟ ୨୬ ଟି ଡକାୟତି ମାମଲା ରହିଛି | ୨୦୦୫ ଓ ୨୦୦୯ ମସିହାରେ କନକତ୍ଵରା ଗ୍ରାମୀଣ ବ୍ୟାଙ୍କ ଡକାୟତି, ୨୦୧୬ ମସିହାରେ ଛତିଶଗଡ଼ରେ ଗୋଟିଏ ଦିନରେ ୨ଟି ବ୍ୟାଙ୍କ ଡକାୟତି, ବରଗଡ଼ ଜିଲ୍ଲାର ରୁଚିଦା ସମବାୟ ବ୍ୟାଙ୍କ ଡକାୟତି ଭଳି ବହୁ ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.