ଫେଲ୍ ମାରିଲା ପୁଣି ଆନ୍ଧ୍ର-ଓଡ଼ିଶା ବୈଠକ, ଆନ୍ଧ୍ର ଅଧିକାରୀ ଦେଖାଇ ପାରିଲେନି ମାନଚିତ୍ର ଓ ଆବଶ୍ୟକ ପ୍ରମାଣପତ୍ର
27/07/2023 at 2:26 PM

ଜୟପୁର ୨୭।୦୭: ଫେଲ୍ ମାରିଲା ବୈଠକ। ପୁଣି ଫେଲ୍ ମାରିଲା ଆନ୍ଧ୍ର – ଓଡ଼ିଶା ବୈଠକ। ଆଜି ମଧ୍ୟ ଆନ୍ଧ୍ରର ଅଧିକାରୀମାନେ ଦେଖାଇ ପାରିଲେନି ମାନଚିତ୍ର ଓ ଆବଶ୍ୟକ ପ୍ରମାଣପତ୍ର। ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗିରହିଥିବା ବେଳେ ଏହାର ସମାଧାନ ପାଇଁ ଆଜି ଦ୍ବିତୀୟ ଥର ପାଇଁ ବୈଠକ ବସିଥିଲା। ଏଥିରେ ଏକାଠି ହୋଇଥିଲେ ଆନ୍ଧ୍ର ଏବଂ ଓଡିଶାର ପ୍ରଶାସନିକ ଅଧିକାରୀ । ଚାଟୁଆ ସ୍ଥିତ ଡାକ ବଙ୍ଗଳାରେ ବସିଥିଲା ବୈଠକ। ଏଥିରେ ପୋଲିସ ଓ ବନ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ବୈଠକ ଫେଲ୍ ମାରିଛି।
ନନ୍ଦପୁର ସୀମାର ୨ କିଲୋମିଟର ଭିତରେ ପଶି ଆନ୍ଧ୍ର ଏଠାକାର ରାଇପାଡ ଗାଁରେ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବାଣ୍ଟିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲା। ଏହାକୁ ନେଇ ବିବାଦ ଦେଖାଦେଇଛି। ଏହାର ସମାଧାନ ପାଇଁ ଗତ ୧୨ ତାରିଖରେ ରାଇପାଡ ଗାଁରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ପ୍ରଥମ ଥର ଏକାଠି ହୋଇଥିଲେ। ତେବେ ଆନ୍ଧ୍ର ଅଧିକାରୀ ଆବଶ୍ୟକ କାଗଜପତ୍ର ଓ ମାନଚିତ୍ର ଦେଖାଇ ପାରିନଥିଲେ। ଯାହାଫଳରେ ଉଭୟ ରାଜ୍ୟ ମଧ୍ୟରେ ବସିଥିବା ବୈଠକ ଫେଲ୍ ମାରିଛି ।