କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ୍, ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ: ଇଂଲଣ୍ଡର ମହାନ କ୍ରିକେଟର ତଥା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଇଂଲଣ୍ଡ ପାଇଁ ୨୦ ବର୍ଷ ଖେଳିଥିବା ଏହି ଫାଷ୍ଟ ବୋଲର ସୋସିଆଲ୍ ମିଡିଆରେ ନିଜ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏଥର ଗ୍ରୀଷ୍ମର ପ୍ରଥମ ଟେଷ୍ଟ ମ୍ୟାଚରେ ସେ ସେ ନିଜ ଶେଷ ଇଣ୍ଟରନ୍ୟାସନାଲ ଟେଷ୍ଟ ମ୍ୟାଚ୍ ଖେଳିବେ । 

ଜେମ୍ସ ଆଣ୍ଡରସନ୍ ୨୦୦୨ରେ ଦିନିକିଆରେ ଡେବ୍ୟୁ କରିଥିଲେ ଏବଂ ୨୦୦୩ ମାର୍ଚ୍ଚରେ ପ୍ରଥମ ଟେଷ୍ଟ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ୭୦୦ ୱିକେଟ୍ ନେବାରେ ସେ ପ୍ରଥମ ଏବଂ ଏକମାତ୍ର ଫାଷ୍ଟ ବୋଲର । ସେ ଏହି କୀର୍ତ୍ତିମାନ ଗତ ମାର୍ଚ୍ଚରେ ଭାରତ ଗସ୍ତରେ ହାସଲ କରିଥିଲେ । ଆସନ୍ତା ଜୁଲାଇ ୩୦ରେ ଆଣ୍ଡରସନ ୪୨ ବର୍ଷରେ ପାଦ ଥାପିବେ ।

ଜେମ୍ସ ଆଣ୍ଡରସନ୍ ସୋସିଆଲ୍ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, 'ହାଲୋ, ଏଠାରେ ମୁଁ ଆପଣଙ୍କ ଜଣାଉଛି ଯେ ଲର୍ଡସରେ ହେବାକୁ ଥିବା ଏହି ଗ୍ରୀଷ୍ମର ପ୍ରଥମ ଟେଷ୍ଟ ମ୍ୟାଚ୍ ମୋର ଶେଷ ଟେଷ୍ଟ ମ୍ୟାଚ୍ ହେବ । ୨୦ ବର୍ଷ ଧରି ଦେଶର ପ୍ରତିନିଧିତ୍ୱ କରିବା ରୋମାଞ୍ଚକର । ସେହି ଖେଳକୁ ଖେଳିବା, ଯାହାକୁ ମୁଁ ପିଲାଦିନରୁ ଚାହୁଁଥିଲି । ମୁଁ ଇଂଲଣ୍ଡ ପାଇଁ ଖେଳିଥିବା ସେହି ସବୁ ସମୟ ମନେ ପଡ଼ିବ । କିନ୍ତୁ ମୁଁ ଜାଣିଛି, ଅଲଗା ହେବାର ଏହା ସଠିକ୍ ସମୟ । ଅନ୍ୟମାନଙ୍କୁ ସେମାନଙ୍କ ସ୍ୱପ୍ନ ବଞ୍ଚିବାକୁ ଦେବାର, ଯେପରି ମୁଁ କରିଛି । କାହିଁକି ନାଁ ଏହାଠାରୁ ଭଲ ଅନୁଭୂତି ଆଉ କିଛି ହୋଇ ନପାରେ ।'


ଜେମ୍ସ ଆଣ୍ଡରସନ ୨୦୦୩ରେ ଜିମ୍ୱାୱେ ବିରୋଧରେ ପ୍ରଦାର୍ପଣ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଚଳିତ ବର୍ଷ ଧର୍ମଶାଳାରେ ଭାରତ ବିପକ୍ଷରେ ଖେଳିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ୭୦୦ ୱିକେଟ୍ ନେବାର ମାଇଲଖୁଣ୍ଟ ଛୁଇଁଥିଲେ । ଆଣ୍ଡରସନ ନିଜ ଟେଷ୍ଟ କ୍ୟାରିୟରରେ ୩୨ ଥର ପାଞ୍ଚ ୱିକେଟ୍ ଏବଂ ୩ ଥର ୱିକେଟ୍ ନେଇଛନ୍ତି । ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବା ମାମଲାରେ ଶ୍ରୀଲଙ୍କାର ମଥିଆ ମୁରଲିଧରନ (୮୦୦) ଏବଂ ଅଷ୍ଟ୍ରେଲିଆ ସେନ୍ ୱାର୍ଣ୍ଣ (୭୦୮)ଙ୍କ ପରେ ତୃତୀୟରେ ଅଛନ୍ତି । 

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.