ବିନା ଶତକରେ ୯୫୪ ଦିନ, ୫୦ରୁ କମ ହାର ? ଆଉ କେତେ ଦିନ ଚାଲିବ କୋହଲିଙ୍କ ଖରାପ ସମୟ

Published By : Prameya-News7 Bureau | July 04, 2022 IST

ବର୍ମିଂହାମ: ଏମିତି ଆଉ କେତେ ଦିନ ଖରାପ ଫର୍ମ ଦେଇ ଗତି କରିବେ ବିରାଟ କୋହଲି। କେବେ ତାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିବ ଶତକ ? ତାଙ୍କ ପ୍ରଶଂସକ, କ୍ରିକେଟ୍ ସମୀକ୍ଷକଙ୍କୁ ଘାରିବାରେ ଲାଗିଛି ଏହି ପ୍ରଶ୍ନ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ ଅଢେଇ ବର୍ଷ ହେବ ଶତକଟିଏ ଅର୍ଜନ କରି ପାରି ନାହାନ୍ତି। ବର୍ମିଂହାମର ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟର ଉଭୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି କୋହଲି।

କୋହଲିଙ୍କ ଶତକର ମରୁଡି ମାସେ କି ଦୁଇ ମାସ ନୁହେଁ ଅଢେଇ ବର୍ଷ ହେବ ଜାରି ରହିଛି। ଯଦି ଦିନ ହିସାବରେ ଗଣାଯିବ ତେବେ ଏହି ଷ୍ଟାର ବ୍ୟାଟସମ୍ୟାନ ୯୫୪ ଦିନ ହେବ ଶତକ ଅର୍ଜନ କରି ପାରି ନାହାନ୍ତି। ଏମିତି ଆଉ କେତେ ଦିନ  ଚାଲିବ ତାହା କହିବା ବି ମୁସ୍କିଲ। ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ସେ ୧୧ ଏବଂ ଦ୍ଵିତୀୟ ଇନିଂସରେ ୨୦ ରନ କରିଛନ୍ତି।

୨୦୧୯ ନଭେମ୍ବର ମାରିଥିଲେ ଶେଷ ଶତକ

ବିରାଟ କୋହଲି ଶେଷ ଶତକ ୨୦୧୯ରେ ବାଂଲାଦେଶ ବିପକ୍ଷରେ ହାସଲ କରିଥିଲେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତାରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ କୋହଲି ୧୩୬ ରନର ଇନିଂସ ଖେଳିଥିଲେ। ଭାରତ ଉକ୍ତ ଟେଷ୍ଟରେ ବିଜୟ ହାସଲ କରିଥିଲା। ଏହା ପରଠ କୋହଲି ୧୮ ଟେଷ୍ଟ, ୨୧ ଦିନିକିଆ ଏବଂ ୨୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମାତ୍ର ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି।

ଏହି ସମୟରେ କେଏଲ ରାହୁଲ ଏବଂ ରୋହିତ ଶର୍ମା କ୍ରମଶଃ ୫୧ ଏବଂ ୪୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ରାହୁଲ ୫ ଏବଂ ରୋହିତ ଶର୍ମା ୪ ଶତକ ହାସଲ କରିଛନ୍ତି। କୋହଲି ଏହି ସମୟରେ ୧୮ଟି ଟେଷ୍ଟରେ ୩୨ଟି ଇନିଂସରୁ ୨୭.୨୫ ହାରରେ ୮୭୨ ରନ କରିଛନ୍ତି। କୋହଲି ଚାରି ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି ଏବଂ ଛଅଟି ଅର୍ଦ୍ଧଶତକ ମାରିଛନ୍ତି।

୨୦୧୯ ଡିସେମ୍ବରରୁ କୋହଲିଙ୍କ ରେକର୍ଡ

ମୋଟ୍ ଅନ୍ତର୍ଜାତୀୟ ମ୍ୟାଚ୍ ୬୪, ୨୫୦୯  ରନ, ୨୪ ଅର୍ଦ୍ଧଶତକ

ଟେଷ୍ଟ: ୧୮, ୭୯୧ ରନ, ୬ ଅର୍ଦ୍ଧଶତକ

ଦିନିକିଆ: ୨୧, ୭୯୧ ରନ, ୧୦ ଅର୍ଦ୍ଧଶତକ

ଟି-୨୦: ୨୫, ୮୪୬ ରନ, ୮ ଅର୍ଦ୍ଧଶତକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.