ବିଜେପିରେ ଯୋଗ ଦେବେ କି ଆନନ୍ଦ ଶର୍ମା ? କ'ଣ କହିଲେ ଜେପି ନଡ୍ଡା ?

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ହିମାଚଳ ପ୍ରଦେଶରେ ଦଳର ନିର୍ବାଚନ ସଂଚାଳନ କମିଟିରୁ ଇସ୍ତଫା ଦେଇଛନ୍ତି । ଏହାମଧ୍ୟରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆନନ୍ଦ ବିଜେପିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ତେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଜେପି ନଡ୍ଡା କହିଛନ୍ତି ଯେ, ଆନନ୍ଦ ଶର୍ମା ଓ ସେ ବ୍ୟକ୍ତିଗତ ଭାବେ ଭଲ ବନ୍ଧୁ । ସେ ଇସ୍ତଫା ଦେଇଛନ୍ତି । ଯାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଉଭୟ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ ।

ସେ ଆହୁରି କହିଛନ୍ତି ଯେ, ଆନନ୍ଦ ବିଜେପିରେ ସାମିଲ ହେବା ନେଇ କୌଣସି ଆଲୋଚନା କରିନାହାଁନ୍ତି । କିନ୍ତୁ ବ୍ୟକ୍ତିଗତ ସେମାନେ ପରସ୍ପରକୁ ଭଲ ଭାବେ ଜାଣନ୍ତି । ତେବେ କୌଣସି ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ ଆନନ୍ଦ ଓ ଜେପି ନଡ୍ଡା ପରସ୍ପରକୁ ଭେଟିଥିଲେ । ସେତେବେଳେ ରାଜନୈତିକ ଗତିବିଧି ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାମଧ୍ୟରେ ଆନନ୍ଦ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେବା ପରେ ଅନେକ ପ୍ରଶ୍ୱ ଉଙ୍କି ମାରୁଛି । ତେବେ ଚଳିତ ବର୍ଷ ଶେଷରେ ହିମାଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ଏଠାରେ ସରକାରରେ ଥିଲେ ମଧ୍ୟ ଆମ ଆଦମୀ ପାର୍ଟି ମଧ୍ୟ ଏହାର କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.