ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ, ମୃତ ମହିଳାଙ୍କୁ ଜୀବିତ କରିବା ଜିଦ୍ରେ ଅଧିଆ ପଡିଲେ ଦୁଇ ଜଣ
9/03/2023 at 1:51 PM

ଆନନ୍ଦପୁର ୦୯।୦୩ : ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ । ମହିଳାଙ୍କ ମରଶରୀର ରଖି ମନ୍ଦିରରେ ଅଧିଆ ପଡିଲେ ଦୁଇ ମହିଳା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ଫକୀରପୁର ଗାଁରୁ ଆସିଛି ଏମିତି ଏକ ଅଜବ ଘଟଣା । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଖବର ଅନୁଯାୟୀ, ଫକୀରପୁର ଗାଁ ବଙ୍ଗାଳୀ ସାହିର ସୁଦାମ ଦାସଙ୍କ ପତ୍ନୀ ସସ୍ମିତା ପୂର୍ବରୁ ରୋଗରେ ପୀଡିତ ଥିଲେ । ବୁଧବାର ରାତିରେ ଗୁରୁତର ଭାବେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ହେଲେ କିଛି ମହିଳା ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ମୃତଦେହକୁ ସତ୍କାର ବଦଳରେ ମନ୍ଦିର ନିକଟରେ ରଖି ମହାଦେବଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଦୁଇ ମହିଳା ।

ସେ ଲୋକଙ୍କ କହିବା କଥା କି, ମହିଳାଙ୍କ ମୃତ୍ୟୁ ପରେ ଗାଁର ଜଣେ ମହିଳାଙ୍କ ଦେହରେ ଦେବୀ ପ୍ରକଟ ହୋଇଛନ୍ତି । ତାଙ୍କରି ନିର୍ଦ୍ଦେଶରେ ଏଭଳି କଲେ ମୃତ ମହିଳା ପୁଣି ଥରେ ଜୀବିତ ହୋଇଉଠିବେ । ସେଥିପାଇଁ ପରିବାର ଲୋକେ ମୃତଦେହକୁ ସତ୍କାର ନକରି ଗାଁରେ ଥିବା ବାବା ବାଲୁଙ୍କଶ୍ୱର ମନ୍ଦିର ନିକଟରେ ରଖିଥିଲେ । ଏଥିସହ ଦେବୀ ଲାଗିଥିବା ମହିଳା ଓ ଗାଁର ଆଉ ଜଣେ ମହିଳା ବାଲୁଙ୍କେଶ୍ୱରଙ୍କ ନିକଟରେ ଅଧିଆ ପଡିଥିଲେ ।

ତେବେ ଏଭଳି ଅନ୍ଧବିଶ୍ୱାସର ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହକୁ ଘରକୁ ନେଇଥିଲେ ସଂପର୍କୀୟ ।