<strong>ଗାଧେଇବା ବେଳେ ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ</strong>

Published By : Prameya-News7 Bureau | July 05, 2022 IST

ଯାଜପୁର ରୋଡ ୦୫/୦୭ : ନଦୀରେ ଗାଧେଇବା ସମୟରେ ପାଣିରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନତୀରି ଗାଁରେ ଏଭଳି ଅଘଟଣ ଘଟିଛି। ଆଜି ମଧ୍ୟାହ୍ଣରେ ଗାଁ ପାଖରେ ଥିବା ବୈତରଣୀ ନଦୀରେ ଗାଧେଇବା ସମୟରେ ହଠାତ୍ ବୃଦ୍ଧା ଜଣଙ୍କ ନଦୀ ସ୍ରୋତରେ ଭାସି ବୁଡ଼ି ଯାଇଥିଲେ। ପାଖରେ ଥିବା ଅନ୍ୟ କେତେଜଣ ମହିଳା ଏହା ଦେଖି ବୃଦ୍ଧାଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଜଣାଇଥିଲେ।

ପରେ ଗାଁ ଲୋକମାନେ ସେଠାରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନଦୀରେ ଭାସୁଥିବା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ବୃଦ୍ଧା ମହିଳା ଜଣଙ୍କ ସେହି ଗାଁର ବାଇଧର ସାହୁଙ୍କ ସ୍ତ୍ରୀ ମାଳତୀ ସାହୁ (୬୫) ବୋଲି ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁଧ୍ୟାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.