ଏବେ ଜଣେ ପାଇଲଟ ଉଡାଇ ପାରିବେ ଦୁଇ ପ୍ରକାରର ବିମାନ, ମିଳିଲା DGCAଙ୍କ ଅନୁମତି
12/03/2023 at 4:54 PM

ନୂଆଦିଲ୍ଲୀ ୧୨।୩: ଦୀର୍ଘ ସମୟରୁ ଏୟାର ଇଣ୍ଡିଆର ଲମ୍ବିତ ଦାବିକୁ ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ)ଙ୍କ ମଞ୍ଜୁରୀ ମିଳିଛି। ଫଳରେ ଏୟାର ଇଣ୍ଡିଆଙ୍କ ପାଇଲଟ ଏବେ ଦୁଇଟି ଅଲଗା ଅଲଗା ପ୍ରକାରର ବିମାନ ଉଡାଇପାରିବେ। ଡିଜିସିଏଙ୍କ ପକ୍ଷରୁ ଦିଆଯାଥିବା ଅନୁମତି ଅନୁସାରେ ଏବେ ବୋଇଂ ୭୭୭ ଓ ୭୮୭ ବିମାନକୁ ଜଣେ ପାଇଲଟ ଉଡାଇ ପାରିବେ। ତେବେ ପୂର୍ବରୁ ୭୭୭ ବିମାନ ଉଡାଉଥିବା ପାଇଲଟଙ୍କୁ ୭୮୭ ବିମାନ ଉଡାଣର ଅନୁମତି ନଥିଲା, ସେହିପରି ୭୮୭ ପାଇଲଟଙ୍କୁ ୭୭୭ ବିମାନ ଚାଳନା ମନାଥିଲା।
ଏହା ପୂର୍ବରୁ ଏୟାର ଇଣ୍ଡିଆଙ୍କ ପକ୍ଷରୁ ବୋଇଂ ୭୭୭ ଓ ୭୮୭ ବିମାନ ଉଡାଇବା ପାଇଁ ୮ ଜଣ ପାଇଲଟଙ୍କୁ ପ୍ରଶିକ୍ଷିତ କରାଯାଉଥିଲା। ଏଥିରୁ ୪ଜଣ ୭୭୭ ପାଇଁ ପ୍ରଶିକ୍ଷିତ ହେଉଥିବା ବେଳେ ୭୮୭ ପାଇଁ ଅନ୍ୟ ୪ ଜଣ ପ୍ରଶିକ୍ଷଣ ପାଉଥିଲେ। ହେଲେ ଏବେ ଡିଜିସିଏ ମଲ୍ଟିସିଟ୍ ଫ୍ଲାଇଂ (ଏମଏସଅଫ)କୁ ମଞ୍ଜୁର କରିଛନ୍ତି। ଏହାର ମୋଟାମୋଟି ଅର୍ଥ ହେଉଛି ଜଣେ ପାଇଲଟ ଏବେ ଦୁଇ ପ୍ରକାରର ବିମାନ ଉଡାଇ ପାରିବେ। ତେବେ ଏଥି ଲାଗି ଟ୍ରେନିଂ ପ୍ରକ୍ରିୟାକୁ ସାମାନ୍ୟ କଠିନ କରାଯିବ।

ଡିଜିସିଏଙ୍କ ଏହି ମଞ୍ଜୁରୀ ପାଇଲଟଙ୍କ ଲାଗି ବେଶ୍ ସହାୟକ ସାବ୍ୟସ୍ତ ହେବ। ଏହା ଦ୍ୱାରା ପାଇଲଟଙ୍କ କ୍ରସ୍ ୟୁଜ ହୋଇପାରିବ। ଫଳରେ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ଲାଗି ସହାୟତା ମିଳିପାରିବ। ଏୟାର ଇଣ୍ଡିଆରେ ପ୍ରାୟ ୭୦୦ ୱାଇଡ ବଡି ପାଇଲଟ ଅଛନ୍ତି। ତେବେ ଏହି ଅନୁମତି ପରେ ଡିଜିସିଏ କହିଛନ୍ତି ଯେ ଏଥିଲାଗି ୮ ନୋମିନେଟେଡ ପାଇଲଟଙ୍କ ନିକଟରେ ୭୭୭ ଓ ୭୮୭ ସଞ୍ଚାଳନ ମାମଲାରେ ୧୦ ଲ୍ୟାଣ୍ଡିଂ ସହିତ ୧୫୦ ଘଣ୍ଟାର ଉଡାଣ ଅନୁଭୂତି ଥିବା ଜରୁରି।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ପାଖାପାଖି ୧୬ଟି ଦେଶରେ ପାଇଲଟଙ୍କ କ୍ରସ୍ ୟୁଜ ହେଉଛି। ଟାଟା ସମୂହଙ୍କ ମାଲିକାନାଧୀନ ଏୟାର ଇଣ୍ଡିଆରେ ମୋଟ ୧,୮୨୫ ଜଣ ପାଇଲଟ କାମ କରୁଛନ୍ତି। ଏଥିରେ ଆଗାମୀ ସମୟରେ ଅଧିକ ପାଇଲଟଙ୍କୁ ନିଯୁକ୍ତ କରାଯାଇପାରେ। କାରଣ ଏୟାରଲାଇନ୍ସ ତାର ବିମାନ ସଂଖ୍ୟା ବଢାଇବାକୁ ଯୋଜନା କରୁଛି। ଗତମାସରେ ଏୟାର ବସ୍ ଓ ବୋଇଂକୁ ଏୟାର ଇଣ୍ଡିଆ ୪୭୦ଟି ବିମାନ କ୍ରୟ ଲାଗି ଅର୍ଡର ଦେଇଛନ୍ତି। ଯେଉଁଥିରେ ୭୦ଟି ଚୌଡା ଆକାରର ବିମାନ ମଧ୍ୟ ରହିଛି।