୧୨ ହଜାର ଫୁଟ ଉଚ୍ଚ ପାହାଡ଼ରୁ ଠାବ ହେଲା ନିଖୋଜ ବିମାନର ଭଗ୍ନାବଶେଷ : ୪ବର୍ଷ ପୂର୍ବେ ବାୟୁସେନାରେ ଯୋଗଦେଇଥିବା ଓଡ଼ିଆ ପାଇଲଟଙ୍କ ମୃତ୍ୟୁ
13/06/2019 at 6:31 PM

ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ବିମାନରେ ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଥିଲେ । ଭାରତୀୟ ବାୟୁସେନା ଟ୍ବିଟ୍ କରି ଏହି ସୂଚନା ଦେଇଛି । ବାୟୁସେନା ଦର୍ଶାଇଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ସ୍ଥାନରେ ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ ।…

ଚାରି ଆଡ଼େଘଞ୍ଚ ଜଙ୍ଗଲ। ତାରି ଭିତରୁ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି। ନିଖୋଜ ବାୟୁସେନା ବିମାନର କୌଣସି ସଦସ୍ୟ ଜୀବିତ ନାହାନ୍ତି । ଟ୍ବିଟ୍ କରି ଏକଥା ଦର୍ଶାଇଛି ଭାରତୀୟ ବାୟୁସେନା । ବାୟୁସେନା ପକ୍ଷରୁ କୁହାଯାଇଛି ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜୁନ ୩ ତାରିଖ, ରୁଷ ନିର୍ମିତ ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା ।

ତେବେ ଅପରାହ୍ନ ୧ଟାରେ ବିମାନଟି ନିଖୋଜ ହୋଇଯାଇଥିଲା । ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏମଆଇ-୧୭ ହେଲିକପ୍ଟର ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ବଂସାବଶେଷ ୧୨ ହଜାର ଫୁଟ ଉଚ୍ଚରେ ଥିବା ପାହାଡରେ ଠାବ କରିଥିଲା।

ନିଖୋଜ ୧୩ ଜଣଙ୍କ ମଧ୍ୟରେ ଥିବା ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଘୋଷଣା କରିଛି ବାୟୁସେନା। ଓଡ଼ିଆ ପାଇଲଟ୍ ସୁନିତ୍ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଅଞ୍ଚଳର ବଳିଆପଲ୍ଲୀରେ। ଦିଲ୍ଲୀରେ ରହୁଥିବା ସୁରେନ୍ଦ୍ର ମହାନ୍ତିଙ୍କ ଏକମାତ୍ର ପୁଅ ୨୬ ବର୍ଷୀୟ ସୁନିତ୍ ୪ ବର୍ଷ ତଳେ ବାୟୁସେନାର ପାଇଲଟ୍ ଭାବେ ଯୋଗଦେଇଥିଲେ । ସୁନିତ୍ ଯେଉଁଦିନ୍ ଡ୍ୟୁଟିରେ ଗଲେ ସେଦିନ ସେ ଯିବାର ନଥିଲା ।

ଚାର୍ଟରେ ଅନ୍ୟଜଣଙ୍କ ନାଁ ଥିଲା । ହେଲେ ସେ ଆସିବାରେ ବିଳମ୍ବ ହେବାରୁ ସୁନିତ୍ଙ୍କୁ ଡ୍ୟୁଟିରେ ଯିବାକୁ ନିର୍ଦ୍ଦେଶ ଆସିଥିଲା । ତେଣୁ ସୁନିତ୍ ସେହି ବିମାନରେ ଯାଇଥିଲେ । ସୁନିତଙ୍କ ମୃତ୍ୟୁ ଖବର ପାଇ ବାପା, ମା , ଅଜା ଆଈ, ସଂପର୍କୀୟ ଓ ଗାଁ ଲୋକେ ସମସ୍ତେ ହତ୍ବାକ୍ । ସବୁଠି ଶୋକାକୂଳ ପରିବେଶ । ସୁନିତ୍ଙ୍କୁ ମନେ ପକାଇ ସମସ୍ତେ ତାଙ୍କୁ ଝୁରୁଛନ୍ତି ।

ବିମାନକୁ ଖୋଜିବା ପାଇଁ ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍-୩୨ ଓ ୨ଟି ଏମଆଇ-୧୭ ହେଲିକପ୍ଟର, ଇସ୍ରୋ ସାଟେଲାଇଟ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ବାୟୁସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାହ୍ରସ୍ତ ହେଲା ତାର ତଦନ୍ତ ଆରମ୍ଭ ହୋଇଛି ।