ତାମିଲନାଡୁରେ ଦୁଗ୍ଧ ନକିଣୁ ଅମୁଲ, ଅମିତ୍ ଶାହଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍; ଉଠିଲା ନୂଆ ବିବାଦ
25/05/2023 at 4:07 PM

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଅମୁଲ ବନାମ ନନ୍ଦିନୀ ବ୍ରାଣ୍ଡର ଦୁଗ୍ଧକୁ ନେଇ ବିବାଦ ହୋଇଥିଲା । ଏବେ ସମାନ ବିବାଦ ତାମିଲନାଡୁରେ ଦେଖିବାକୁ ମିଳିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅମୁଲର ତାମିଲନାଡୁରେ କ୍ଷୀର କିଣା ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି । ଏମକେ ଷ୍ଟାଲିନ୍ କହିଛନ୍ତି ଯେ ତାମିଲନାଡୁର ସହକାରୀ ଦୁଗ୍ଧ କମ୍ପାନି ଆଭିନ୍ ଚାଷୀଙ୍କ ଠାରୁ କ୍ଷୀର କିଣିଛୁ ଏବଂ ଏଠାରେ ଅମୁଲ ଦ୍ୱାରା କ୍ଷୀର କିଣାଯିବା ଠିକ୍ ନୁହେଁ । ଷ୍ଟାଲିନ୍ କହିଛନ୍ତି ଯେ ଆନନ୍ଦ ମିଲ୍କ ୟୁନିୟନ ଅର୍ଥାତ୍ ଅମୁଲର ତାମିଲନାଡୁରେ ପ୍ରବେଶ ରୋକା ଯିବା ଦରକାର । ଯଦି ଏପରି ନକରାଯାଏ ତେବେ ରାଜ୍ୟର ସହକାରୀ ସଂସ୍ଥା ଆଭିନକୁ କ୍ଷତି ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁରେ ୧୯୮୧ ମସିହାରୁ ଆଭିନ କାମ କରୁଛି ।
ଅମିତ୍ ଶାହଙ୍କୁ ଲେଖିଥିବା ଚିଠିରେ ଷ୍ଟାଲିନ୍ କହିଛନ୍ତି, ‘ଏବେ ଯାଏ ଅମୁଲ ଦ୍ୱାରା ନିଜ ଉତ୍ପାଦଗୁଡିକୁ ଆଉଟଲେଟ୍ ଜରିଆରେ ବିକ୍ରି କରାଯାଉଥିଲା । କିନ୍ତୁ ନିକଟରେ ଜଣାପଡ଼ିଛି ଯେ ଅମୁଲର ଏକ ସହାୟକ ସଂସ୍ଥା କେରା ଡିଷ୍ଟ୍ରିକ୍ କର୍ପୋରେସନ ମିଲ୍କ ପ୍ରୋଡ୍ୟୁସର୍ସ ପକ୍ଷରୁ କୃଷ୍ଣାଗିରିରେ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ରାନୀପେଟ, କୃଷ୍ଣାଗିରି, ଧର୍ମପୁରୀ, ବେଲ୍ଲୋର ପରି ଅଞ୍ଚଳରୁ ଦୁଗ୍ଧ କିଣାଯାଉଛି’।
ଷ୍ଟାଲିନ୍ କହିଛନ୍ତି ଯେ ଭାରତରେ ଏହା ନିୟମ ପରି ଅଟେ ଯେ ପରସ୍ପର କ୍ଷେତ୍ରରେ ଦଖଲ ନ ଦେଇ ସହକାରୀ କମିଟିଗୁଡିକ କାମ କରିବେ । ଯଦି ଏପରି ନହୁଏ ତେବେ ଏହା ଅପରେସନ ହ୍ୱାଇଟ୍ ଫ୍ଲଡର ବିପରୀତ ରହିବ । ଯାହାର ଆରମ୍ଭ ଯୁଗ୍ଧ ଉତ୍ପାଦନ ବଢାଇବା ପାଇଁ ହୋଇଥିଲା । ଏମକେ ଷ୍ଟାଲିନ୍ କହିଛନ୍ତି ଯେ ଏହାଦ୍ୱାରା ସମସ୍ୟା ବଢିଯିବ । ଏପରିକି ଦେଶରେ ଦୁଗ୍ଧର ଅଭାବ ସ୍ଥିତି ସୃଷ୍ଟି ହୋଇପାରେ । ଷ୍ଟାଲିନ୍ କହିଛନ୍ତି ଯେ ଅମୁଲର ଏହି ନୂଆ ପଦକ୍ଷେପ ଆଭିନ ମିଲ୍କ ସେଡ୍ ଅଞ୍ଚଳର ଉଲ୍ଲଘଂନ କରୁଛି । ଦଶନ୍ଧିର ପ୍ରୟାସ ପରେ ରାଜ୍ୟରେ ଆଭିନର ସ୍ଥିତି ଏପରି ରହିଛି ଏବଂ ଯଦି ଅମୁଲ ନିୟମର ଉଲ୍ଲଂଘନ କରି ଦୁଗ୍ଧ କିଣା ଜାରି ରଖି ତେବେ ଠିକ୍ ହେବ ନାହିଁ ।