ଆଲିଗଡ଼ ମୁସଲିମ୍ ୟୁନିଭରସିଟିର ସଂଖ୍ୟାଲଘୁ ଷ୍ଟାଟସ୍ ବୈଧ ? ୪-୩ ବହୁମତରେ ଆସିଲା ରାୟ

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସ୍ ଉପରେ ‘ସୁପ୍ରିମ’ ଫଇସଲା ଆସିଛି । ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସଂଖ୍ୟାଲଘୁ ମାନ୍ୟତାକୁ ବର୍ତ୍ତମାନ ପାଇଁ ବୈଧ ରଖିଛନ୍ତି । ଏଥିସହ ମାମଲାର ବିଚାର ଏକ ୩ଜଣିଆ ଖଣ୍ଡପୀଠ ହେବ ବୋଲି କହିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ମାତ୍ର କୋର୍ଟ କୌଣସି ନିର୍ଯ୍ୟାସ ପହଞ୍ଚିନପାରିବାରୁ ୪-୩ ବହୁମତରେ ରାୟ ଦେଇଛନ୍ତି । ଏଥିରେ ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଜେ,ବି ପରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ଏଏମୟୁର ସଂଖ୍ୟାଲଘୁ ମାନ୍ୟତା ସପକ୍ଷରେ ରାୟ ଶୁଣାଇଥିଲେ । କିନ୍ତୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତିଶ ଚନ୍ଦ୍ର ଶର୍ମା ଏନେଇ ଅସହମତି ପ୍ରକାଶ କରିଥିଲେ ।

ଶୁଣାଣି ବେଳେ କୋର୍ଟ କହିଛନ୍ତି, AMU ଏକ ସଂଖ୍ୟାଲଘୁ ଅନୁଷ୍ଠାନ କି ନୁହେଁ ୩ ଜଣିଆ ବିଚାରପତିଙ୍କ ବେଞ୍ଚ୍ ତାହା ସ୍ଥିର କରିବେ। ଏଥିସହ ତାହାର ମାନଦଣ୍ଡ ବି ନିର୍ଦ୍ଧାରଣ ମଧ୍ୟ କରାଯିବ । ଏହି ବିବାଦରେ ୭ ଜଣିଆ ଖଣ୍ଡପୀଠରୁ ସିଜେଆଇଙ୍କ ସମେତ ୪ଜଣ ସପକ୍ଷରେ ମତ ଦେଇଥିଲେ । କିନ୍ତୁ ଅନ୍ୟ ୩ ଜଣଙ୍କ ମତ ଭିନ୍ନ ଥିଲା। ତେଣୁ ୪-୩ ବହୁମତରେ କୋର୍ଟ ୧୯୬୭ ମସିହାର ଉକ୍ତ ରାୟକୁ ଖାରଜ କରି ଦେଇଛନ୍ତି । ଏଥିସହ AMUକୁ ସଂଖ୍ୟାଲଘୁଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା ବୋଲି ପ୍ରମାଣିତ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ଏହି ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ରାୟ ଶୁଣାଇଥିଲେ । ୧୯୬୭ରେ ଅଜିଜ୍ ବାସା ବନାମ ଭାରତ ସଂଘ ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସଂଖ୍ୟାଲଘୁ ବିରୋଧରେ ରାୟ ଦେଇଥିଲେ । ଅଦାଲତ ବିଚାର କରି ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ, ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟ ସଂଖ୍ୟାଲଘୁ ସଂସ୍ଥା ନୁହେଁ । ଆଲିଗଡ଼ ମୁସଲିମ୍ ୟୁନିଭରସିଟି ଅଧିନିୟମ ୧୯୨୦କୁ ଆଧାରରେ ରାୟ ଶୁଣାଇଥିଲେ । ଏହି ଅଧିନିୟମ ଅନୁଯାୟୀ, ବିଶ୍ବବିଦ୍ୟାଳୟର ସ୍ଥାପନା ଏକ ମୁସଲିମ୍ ସମୁଦାୟ ଦ୍ବାରା ହୋଇଛି ଏବଂ ଏହାକୁ ମୁସଲିମ୍ ସମୁଦାୟ ଅଧିନରେ ପରିଚାଲିତ ହେଉଛି । ୧୯୮୧ରେ ଏଏମୟୁ ଅଧିନିୟମକୁ ସଂଶୋଧନ କରି କୁହାଯାଇଥିଲା, ବିଶ୍ବବିଦ୍ୟାଳୟ ଭାରତର ମୁସଲମାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା । ଏହା ପରେ ୨୦୦୫ରେ ସଂଖ୍ୟାଲଘୁ ମାନ୍ୟତା ଦାବି କରି ସ୍ନାତକତ୍ତୋର ଚିକିତ୍ସା ପାଠ୍ୟକ୍ରମରେ ମୁସଲିମ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ କରାଗଲା । 

୧୯୬୫ରେ ଏଏମୟୁକୁ ସଂଖ୍ୟାଲଘୁ ମାନ୍ୟତା ନେଇ ବିବାଦ ଆରମ୍ଭ ହୋଇଥିଲା । ତତ୍କାଳୀନ ସରକାର ଆଲିଗଡ଼ ମୁସଲିମ୍ ୟୁନିଭରସିଟି ଅଧିନିୟମକୁ ସଂଶୋଧନ କରି ସ୍ବତନ୍ତ୍ରତାକୁ ଶେଷ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ୧୯୬୭ରେ ଅଜିଜ୍ ବାସା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେତେବେଳେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟ ଏକ ସଂଖ୍ୟାଲଘୁ ସଂସ୍ଥା ନୁହେଁ ବୋଲି କହିଥିଲେ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.