ତାଲିବାନକୁ ଏବେବି ଚ୍ୟାଲେଞ୍ଜ ଦେଉଛନ୍ତି ଗଣତନ୍ତ୍ରର ଏହି ଯୋଦ୍ଧା: ଭଉଣୀଙ୍କୁ ଅପହରଣ କରି ନୃଶଂସ ଭାବେ ହତ୍ୟା କରିଥିଲେ ଆତଙ୍କୀ

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ଆଫଗାନିସ୍ତାନର ୩୪ ପ୍ରାନ୍ତରୁ ୩୩ ପ୍ରାନ୍ତରେ ତାଲିବାନ କବଜା କରିଛି। କିନ୍ତୁ ପଞ୍ଜଶିର ଘାଟି ତାଲିବାନ ପାଇଁ ଅପରାଜିତ। ନିଜକୁ ରାଷ୍ଟ୍ରପତି ଘୋଷିତ କରିଥିବା ଅମରୁଲ୍ଲାହ ସାଲେହଙ୍କ ଘର ଏଠାରେ। ସେ ଏମିତି ସମୟରେ ତାଲିବାନକୁ ପଞ୍ଜଶିର ଘାଟି ଜିତିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଯେତେବେଳେ ରାଷ୍ଟ୍ରପତି ଅଶରଫ ଘାନିଙ୍କ ସମେତ ଅନେକ ନେତା ଦେଶ ଛାଡି ପଳାୟନ କରିଛନ୍ତି। ଅମରୁଲ୍ଲାହ ସାଲେହଙ୍କ ଛଡା ଏହି ରାଜ୍ୟରେ ଅହମଦ ମସୁଦ ମଧ୍ୟ ଅଛନ୍ତି ଯାହାଙ୍କ ପିତା ଅହମଦ ଶାହ ତାଲିବାନ ବିରୋଧରେ ଲଢ଼ି ପ୍ରାଣ ହରାଇଥିଲେ। ଅମରୁଲ୍ଲାହ ସାଲେହ ଅଗଷ୍ଟ ୧୭ରେ ଏକ ଅଡିଓ ମେସେଜ ଜାରି କରି କହିଥିଲେ ଯେ, 'ଆଫଗାନିସ୍ତାନ ସମ୍ବିଧାନ ଅନୁଯାୟୀ ଯଦି ରାଷ୍ଟ୍ରପତି ଅନୁପସ୍ଥିତ ରୁହନ୍ତି କିମ୍ବା ଇସ୍ତଫା ଦେଇ ଦିଅନ୍ତି ତାହେଲେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାସ୍ତରାଧ୍ୟକ୍ଷ ହୁଅନ୍ତି।'

ଅମରୁଲ୍ଲାହ ସାଲେହ ତାଲିବାନକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେ ନିଜ ଦେଶ ପାଇଁ ଛିଡା ହୋଇଛନ୍ତି ଏବଂ ଯୁଦ୍ଧ ବର୍ତ୍ତମାନ ଶେଷ ହୋଇନି। ଦିନେ ଜାସୁସ ଭାବେ କାମ କରୁଥିବା ଅମରୁଲ୍ଲାହ ଏଇ ଦେଶର ଶୀର୍ଷ ନେତାମାନଙ୍କ ମଧ୍ୟରେ ଜଣେ ଏବଂ ତାଲିବାନ ବିରୋଧରେ ଯୁଦ୍ଧର ପ୍ରତୀକ ହୋଇ ଛିଡା ହୋଇଛନ୍ତି। କିଏ ସେ ଅମରୁଲ୍ଲାହ ସାଲେହ ?

{"id":498323,"sizeSlug":"full","linkDestination":"none"}

ଅମରୁଲ୍ଲାହ ସାଲେହ ୧୯୭୨ ଅକ୍ଟୋବରରେ ପଞ୍ଜଶିରରେ ଜନ୍ମ ହୋଇଥିଲେ। ସେ ଅଳ୍ପ ଅବୟସରେ ହିଁ ଅନାଥ ହୋଇଯାଇଥିଲେ। କିନ୍ତୁ ସେ କମ ବୟସରେ ହିଁ ଅହମଦ ଶାହ ମସୁଦଙ୍କ ତାଲିବାନ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ୧୯୯୬ ରେ ତାଲିବାନ ତାଙ୍କ ଭଉଣୀଙ୍କୁ ଅପହରଣ କରିନେଇଥିଲା ଓ ହତ୍ୟା କରିଥିଲା। ସାଲେହ ନିଜେ ଟାଇମ ମାଗାଜିନ ପାଇଁ ଲେଖିଥିଲେ ଯେ ୧୯୯୬ ରେ ଯାହା ଘଟିଥିଲା ତାପରେ ତାଲିବାନ ପାଇଁ ତାଙ୍କ ମନୋଭାବ ବଦଳି ଯାଇଥିଲା। ଏହି ଘଟଣା ତାଲିବାନ ବିରୋଧରେ ତାଙ୍କ ମନରେ କ୍ରୋଧ ଉତ୍ପନ୍ନ କରିଥିଲା ଏବଂ ସେ ମସୁଦଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଅମରୁଲ୍ଲାହ ସାଲେହ ୨୦୦୧ ଯାଏଁ ଅହମଦ ଶାହଙ୍କ ଆନ୍ଦୋଳନରେ ସାମିଲ ଥିଲେ କିନ୍ତୁ ଆମେରିକାରେ ଯେତେବେଳେ ଆତଙ୍କୀ ହମଲା ହୋଇଥିଲା ସେତେବେଳେ ତାଙ୍କ ମନ ବଦଳି ଯାଇଥିଲା। ଏହାପରେ ସେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଲିବାନ ରାଜୁତି ଶେଷ ହେବାପରେ ସେ କ୍ଷମତାକୁ ଆସିଥିଲେ। ୨୦୦୪ ରେ ତାଙ୍କୁ ଆଫଗାନିସ୍ତାନର ନୂଆ ହୋଇଥିବା ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ କରାଯାଇଥିଲା। ସେତେବେଳେ ସେ ଏକ ବଡ ନେଟୱାର୍କ ପ୍ରସ୍ତୁତ କରିଥିଲେ ଯାହା ତାଲିବାନ ସମ୍ପର୍କରେ ସୂଚନା ଦେଉଥିଲା।

୨୦୧୦ ଜୁନ ୬ରେ ଏକ ଆତଙ୍କୀ ହମଲା ହେବାପରେ ସେ ଗୁଇନ୍ଦା ସଂସ୍ଥାର ମୁଖ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ସେତେବେଳେ ହମିଦ କରଜଇ ରାଷ୍ଟ୍ରପତି ଥିଲେ ଯାହାଙ୍କ ସହ ତାଙ୍କର ମତଭେଦ ଥିଲା। କରଜଇ ତାଲିବାନ ସହ କଥା ହେବାକୁ ଚାହୁଁଥିଲେ କିନ୍ତୁ ସାଲେହ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ତାଲିବାନ କଥା ହେବା ଏକ ଟ୍ରାପ୍। କିନ୍ତୁ ତଥାପି କରଜଇ କଥା ହୋଇଥିଲେ ଏବଂ ଉଭୟଙ୍କ ସମ୍ପର୍କ ଖରାପ ହୋଇଥିଲା। ୨୦୧୧ରେ ସାଲେହ କରଜଇଙ୍କ ବିରୋଧରେ ଏକ ଶାନ୍ତିପୂର୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାପରେ ସେ ଅଶରଫ ଘାନିଙ୍କ ସହ କାମ କରିଥିଲେ ଓ ୨୦୧୪ରେ ଉପରାଷ୍ଟ୍ରପତି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.