ଅମ୍ରିତ ଅପହରଣ ଘଟଣାରେ ଜଣେ ଅଟକ, ରାଜ୍ୟ ବାହାରକୁ ନେବାକୁ ଯୋଜନା କରୁଥିଲେ ଅପହର୍ତ୍ତା

Published By : Prameya-News7 Bureau | December 20, 2022 IST

ନୟାଗଡ ୨୦/୧୨: ଟଙ୍କା ପାଇଁ ଅମ୍ରିତକୁ କରାଯାଇଥିଲା ଅପହରଣ । ଅମ୍ରିତ ଅପହରଣର କାରଣ ସମ୍ପର୍କରେ ପୋଲିସ ମୁହଁ ଖୋଲିନଥିଲେ ମଧ୍ୟ ଟଙ୍କା ପାଇଁ ଏଭଳି କରାଯାଇଥିବା ସ୍ପଷ୍ଟ ହୋଇଛି । ଘଟଣାରେ ୪ଜଣ ସମ୍ପୃକ୍ତ ଥିବାବେଳେ ସେଥିମଧ୍ୟରୁ ଜଣକୁ ଅଟକ ରଖିଛି ଓଡଗାଁ ପୋଲିସ । ଅଭିଯୁକ୍ତ କୁରାଳ ଗାଁର ଦୁଇଭାଇ ହୋଇଥିବାବେଳେ ଅନ୍ୟ ଦୁଇଜଣ ବାହାରର ବୋଲି ଜଣାପଡିଛି ।

୧୫ତାରିଖ ଦିନ ଅମ୍ରିତ ଟ୍ୟୁସନରୁ ଫେରୁଥିବା ସମୟରେ ନିଜ ଗାଁର ସ୍ୱପ୍ନ ପଣ୍ଡା, ତାର ଭାଇ ସୁନିଲ ପଣ୍ଡା ଏବଂ ଅନ୍ୟ ଦୁଇଜଣ ନିଜର ବୋଲେରୋ ଭ୍ଯାନରେ ତାକୁ ଅପହରଣ କରିନେଇ ସେହି ଗାଁର ଏକ ଘରେ ରଖିଥିଲେ । ସେହି ଘରଟିର ମାଲିକ ପଞ୍ଜାବରେ ରହୁଥିବାବେଳେ ଘରର ଚାବି ସ୍ୱପ୍ନଙ୍କ ପରିବାର ରଖିଥିଲେ । ସ୍ୱପ୍ନ ସେହି ଘରେ ଗୋଦାମ କରିଥିଲେ ।

ଅପହରଣ ପରଠାରୁ ଅଭିଯୁକ୍ତମାନେ ସେହିଘରେ ଅମ୍ରିତକୁ ରଖିଥିଲେ । ଧରାପଡିଥିବା ଭୟରେ ବୋଲେରୋଟିକୁ ଫାଇନାନ୍ସ କମ୍ପାନୀରେ ସରେଣ୍ଡର କରିଦେଇଥିଲା ସ୍ୱପ୍ନ । ସେହିପରି ଅପହରଣପରେ ବାହାରର ଦୁଇଜଣ ସେଠାରୁ ପାଇଯାଇଥିବା ଜଣାପଡିଛି । ଦୁଇଭାଇ ସବୁ ସମୟରେ ଅମ୍ରିତକୁ ଜଗିରହୁଥିବାରୁ ସେ ବାହାରିପାରୁନଥିଲା ।

ତେବେ ପୋଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଦେବାରୁ ଅମ୍ରିତକୁ ବାହାରକୁ ନନେଇପାରିବା ପରେ ଅଭିଯୁକ୍ତ ଦୁଇଭାଇ ଅମ୍ରିତକୁ ଛାଡିଦେଇ ପଳାଇଥିଲେ । ଫଳରେ ଗତକାଲି ସକାଳେ ଝରକା ବାଟ ଦେଇ ଉଦ୍ଧାର ପାଇଁ ଅମ୍ରିତ ପାଟିକରିବାରୁ କିଛି ମହିଳା କବାଟ ଖୋଲି ତାକୁ ଉଦ୍ଧାର କରିଥିଲେ । ପୋଲିସ ସ୍ବପ୍ନକୁ ଅଟକ ରଖିଥିବାବେଳେ ଅନ୍ଯମାନେ ଫେରାର୍ ଅଛନ୍ତି । ଆଜି ପୋଲିସ ଏସମ୍ପର୍କରେ ପ୍ରେସମିଟ୍ କରି ସୂଚନା ଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.