ଆମେରିକାରେ ବି କରୋନା , ପ୍ରଥମ ମୃତ୍ୟୁ : ଟ୍ରମ୍ପ କହିଲେ ଆମେ ରୋକିପାରିବୁ
1/03/2020 at 11:52 AM

ଲସ ଏଞ୍ଜଲେସ୍ ୦୧।୦୩ – ସଂପ୍ରତି ସାରା ବିଶ୍ଵରେ ମାରାତ୍ମକ କରୋନା ଭୂତାଣୁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଚୀନରେ ଏହା ମହାମାରୀର ରୂପ ନେବା ପରେ ଏବେ ଆମେରିକାରେ କରୋନା ଭୂତାଣୁରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜଣେ ୫୦ ବର୍ଷୀୟ ମହିଳା। ଏହି ଭୂତାଣୁରେ ଆମେରିକା ମାଟିରେ ପ୍ରାଣହାନୀ ଘଟିବା ଏହା ହେଉଛି ପ୍ରଥମ ଘଟଣା। କରୋନା ନେଇ ଏବେ ଆମେରିକାବାସୀଙ୍କ ମଧ୍ୟରେ ଭୟର ମାହୋଲ ରହିଛି। ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ଭୟଭୀତ ଏବଂ ବ୍ୟଥିତ ନହେବାକୁ ପରାମର୍ଶ ଦେଇଛନ୍ତି।

ଆମେରିକା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମୃତକ ମହିଳା ଓ୍ଵାଂଶିଟନ ରାଜ୍ୟର କିଙ୍ଗ କାଉଣ୍ଟି ଅଞ୍ଚଳର। ରାଜ୍ୟର ଏହି ଅଞ୍ଚଳ ଜନବହୁଳ ଇଲାକା ଅଟେ। ଏଠାରେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି। ଫଳରେ ଉକ୍ତ ଅଞ୍ଚଳରେ କରୋନା ଭାଇରସ୍ ଧିରେ ଧିରେ ବ୍ୟାପିବାରେ ଲାଗିଛି। ମୃତକ ମହିଳାଙ୍କ ପରିଚୟ ମିଳିନଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି। କରୋନାରେ ଆମେରିକାରେ ପ୍ରଥମ ମୃତ୍ୟୁ ଘଟଣା ଆମ ରାଜ୍ୟ ପାଇଁ ଏହା ଦୁଃଖର ବିଷୟ ବୋଲି ଓ୍ଵାଂଶିଟନର ଗଭର୍ଣ୍ଣର ଜୟ ଇନସ୍ଲି କହିଛନ୍ତି। ସେ ମୃତକଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ହ୍ଵାଇଟ୍ ହାଉସ୍ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ମୃତକ ବହୁତ ଭଲ ମହିଳା ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିରେ ଦେଶବାସୀଙ୍କୁ ବିବ୍ରତ ହେବାର ଆବଶ୍ୟକ ନାହିଁ। କରୋନାର ମୁକାବିଲା ପାଇଁ ଆମେରିକାରେ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି। ଅଦ୍ୟାବଧି ଆମେରିକାରେ କରୋନା ସଂକ୍ରମଣକାରୀଙ୍କ ସଂଖ୍ୟା ୭୦ରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ ୫୯ଟି ଦେଶ କରୋନାରେ ପ୍ରଭାବିତ ହେଲେଣି। ଏହି ମାରାତ୍ମକ ଭାଇରସରେ ପାଖାପାଖି ୨୯୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ୮୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।