କାଶ୍ମୀରରେ କଂଗ୍ରେସକୁ ଝଟ୍‌କା: ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଦେଲେ ସାମୂହିକ ଇସ୍ତଫା

Published By : Prameya-News7 Bureau | November 17, 2021 IST

ଶ୍ରୀନଗର ୧୭/୧୧: ଦେଶର ବିଭିନ୍ନ ରାଜ୍ୟରେ ଶାସନକୁ ଫେରିବା ପାଇଁ କଂଗ୍ରେସ କସରତ  ଜାରି ରଖିଥିବା ବେଳେ ଜାମ୍ମୁ କାଶ୍ମୀରେ ଦଳକୁ ଶକ୍ତ ଝଟ୍‌କା ଲାଗିଛି।  କଂଗ୍ରେସର ୪ ଜଣ  ପୂର୍ବତନ ମନ୍ତ୍ରୀ ଏବଂ ବର୍ତ୍ତମାନର ୩ ବିଧାୟକ ସାମୂହିକ ଇସ୍ତଫା ଦେଇଛନ୍ତି। ସେମାନେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି। ରାଜ୍ୟରେ ଦଳର  ସ୍ଥିତି ଖରାପ ହୋଇପଡ଼ିଥିବା ବେଳେ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ବଡ଼ ନେତୃତ୍ବ ସମୟ ଦେଉନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

ଯେଉଁସବୁ  ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ସେମାନେ ଜି-୨୩ରେ ସାମିଲ୍‌ ନେତା ଗୁଲାମ ନବୀ ବଜାଦଙ୍କ ନିକଟତର ବୋଲି କୁହାଯାଉଛି। ପାର୍ଟିର ଅଧ୍ୟକ୍ଷ ନିର୍ବାଚନ ଏବଂ ଅନ୍ୟ ସୁଧାର ଉପ​‌ରେ ଗୁଲାମ ନବୀ ଆଜାଦ ବହୁବାର ସ୍ବର ଉଠାଇଛନ୍ତି। ନେତାମାନେ ନିଜର ଇସ୍ତଫା ପତ୍ର ସୋନିଆଙ୍କ ବ୍ୟତୀତ ରାହୁଲ ଗାନ୍ଧୀ ଏବଂ ଜାମ୍ମୁ କାଶ୍ମୀର ପ୍ରଭାରୀ ରଜନୀ ପାଟିଲଙ୍କୁ ପଠାଇଛନ୍ତି। ଅସନ୍ତୁ​‌ଷ୍ଟ ନେତା ଦଳର ବରିଷ୍ଠ ନେତୃତ୍ବଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଦେଶ ଅଧ୍ୟକ୍ଷ ଜୀଏ ମିରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଗୁଲାମ ଅହମଦ  ମିରଙ୍କୁ ଟାର୍ଗେଟ କରି ନେତାମାନେ କହିଛନ୍ତି, ତାଙ୍କ ଯୋଗୁଁ ଆଜି ଜାମ୍ମୁକାଶ୍ମୀରରେ ଦଳର  ସ୍ଥିତି ଖରାପ ହୋଇପଡ଼ିଛି । ମିରଙ୍କ କମଜୋର ନେତୃତ୍ବ କାରଣରୁ  ଏବେ ସୁଦ୍ଧା ୨୦୦ ନେତା ପାର୍ଟି ଛାଡ଼ିଛନ୍ତି ବୋଲି ସେମାନେ କହିଛନ୍ତି । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଧ୍ୟ ସମୟ ଦେଇନଥିବା ଅଭିଯୋଗ ହୋଇଛି ।

ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ନେତା ଜାମ୍ମୁ-କାଶ୍ମୀରରେ ପାର୍ଟିକୁ ହାଇଜ୍ୟାକ କରିନେଇଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ କୌଣସି ସମୟରେ ନିର୍ବାଚନ ହୋଇପାରେ। କିନ୍ତୁ ସମସ୍ୟା ସମ୍ପର୍କରେ ଶୁଣିବାକୁ ପାର୍ଟି ହାଇକାଣ୍ଡଙ୍କ ପାଖରେ ସମୟ ନାହିଁ ବୋଲି ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି। ସେପଟେ କଂଗ୍ରେସ ଦଳ ଅନୁସାରେ, କୌଣସି ପ୍ରକାର ସମସ୍ୟା ସମ୍ପର୍କରେ କେବଳ ପାର୍ଟି ଫୋରମରେ ଆଲୋଚନା ହେବ। କିନ୍ତୁ ମିଡିଆରେ ପ୍ରଚାରକୁ ସ୍ବୀକାର କରାଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.