ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଭାରତୀୟ ସିନେମାରେ ନିଜ ଚମତ୍କାର ଅଭିୟନ ପାଇଁ ସାରା ଦୁନିଆରେ ପରିଚିତ । ତେବେ ଭାରତୀୟ ଟେଲିଭିଜନ ଦୁନିଆରେ ନିଜ ଆଇକନିକ୍ ଶୋ’ କୌନ ବନେଗା କରୋଡପତି (କେବିସି) ଜରିଆରେ ବିଗ୍ ବି’ ଘରେ ଘରେ ପରିଚିତ । ୨୦୦୦ ମସିହାରେ କେବିସିର ଆରମ୍ଭ ହୋଇଥିଲା । ସେବେଠାରୁ ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଏହି କାର୍ଯ୍ୟକ୍ରମ କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିସାରିଛି ।
୨୦୦୦ ମସିହାରେ ଯେତେବେଳେ କେବିସି ଆରମ୍ଭ ହୋଇଥିଲା, ସେହି ସମୟରେ ଏହି ଶୋ’କୁ ମିଳିଥିବା ଦର୍ଶକଙ୍କ ସବୁଠୁ ଅଧିକ ଭଲପାଇବା । ଏହି ଶୋ ଜରିଆରେ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ନିଜ ଟେଲିଭିଜନ ଡେବ୍ୟୁ କରିଥିଲେ । କେବିସିର ପ୍ରଥମ ସିଜିନରେ ପ୍ରତି ଅଧ୍ୟାୟ ପାଇଁ ଅମିତାଭ ବଚ୍ଚନ ୨୫ ଲକ୍ଷ ଟଙ୍କା ନେଇଥିଲେ । ଯାହା ସେହି ସମୟରେ ଏକ ବଡ଼ ଅର୍ଥରାଶି ଥିଲା । ତେବେ କେବିସିର ସଫଳତା କେବଳ ଅମିତାଭ ବଚ୍ଚନଙ୍କ ଟିଭି ଉପସ୍ଥିତିକୁ ମଜଭୁତ କରି ନଥିଲା ବରଂ ଟିଭି ହୋଷ୍ଟିଂ ଫି’ ପାଇଁ ଏକ ବେଞ୍ଚମାର୍କ ସ୍ଥାପନ କରିଥିଲା । ତେବେ କେବିସିର ଚତୁର୍ଥ ସଂସ୍କରଣରେ ବିଗ୍ ବି ପ୍ରତି ଅଧ୍ୟାୟ ପାଇଁ ୫୦ ଲକ୍ଷ ଟଙ୍କା ନେବା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପଛରେ ଅମିତାଭ ବଚ୍ଚନଙ୍କ ଉପସ୍ଥିତିକୁ ଅଧିକ ଶ୍ରେୟ ଦିଆଯାଇଥିଲା ।
ପ୍ରତି ସଂସ୍କରଣ ବିତିବା ସହ କେବିସି ଦର୍ଶକ ସଂଖ୍ୟା ମଧ୍ୟ ନୂଆ ଶିଖରରେ ପହଞ୍ଚୁଥିଲା । ରିପୋର୍ଟ ଅନୁସାରେ କେବିସି ଷଷ୍ଠ ସଂସ୍କରଣ ହୋଷ୍ଟ ପାଇଁ ଅମିତାଭ ବଚ୍ଚନ ୧.୫ କୋଟିରୁ ୨ କୋଟି ଟଙ୍କା ଚାର୍ଜ କରିଥିଲେ । ଅଷ୍ଟମ ସଂସ୍କରଣ ପ୍ରତି ଏପିସୋଡ୍ ପାଇଁ ସେ ୨ କୋଟି ଟଙ୍କା ନେଇଥିଲେ । ନବମ ସଂସ୍କରଣରେ ୨.୬ କୋଟି ଏବଂ ୧୦ମ ସିଜିନରେ ପ୍ରତି ଏପିସୋଡ୍ ପାଇଁ ୩ କୋଟି ଟଙ୍କା ନେଇଥିଲେ । ଏହାପରେ ପରବର୍ତ୍ତୀ ତିନୋଟି ସଂସ୍କରଣରେ ତାଙ୍କ ପ୍ରତି ଏପିସୋଡ୍ ଆୟ ୩.୫ କୋଟି ଟଙ୍କା ଯାଏ ପହଞ୍ଚିଥିଲା । ତେବେ କେବିସିର ୧୪ତମ ସଂସ୍କରଣ ପାଇଁ ବିଗ୍ ବି’ ନିଜ ଫି’କୁ ବଢାଇ ୪-୫ କୋଟି ଟଙ୍କା ପ୍ରତି ଏପିସୋଡ୍ କରିଥିଲେ । ଏବେ କେବିସି ନିଜ ୧୬ତମ ସଂସ୍କରଣ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ଅନୁସାରେ ଏହି ସଂସ୍କରଣର ପ୍ରତି ଏପିସୋଡ୍ ପାଇଁ ଫି’ ବାବଦକୁ ଅମିତାଭ ବଚ୍ଚନ ୫ କୋଟି ଟଙ୍କା ନେବେ ।