ମାଓ ମୁକାବିଲା ନେଇ ଦିଲ୍ଲୀରେ ବୈଠକ : ମାଓ ଉପଦୃତ ଅଞ୍ଚଳର ବିକାଶ ଏବଂ ମୁକାବିଲା ରଣନୀତି ନେଇ ହେବ ଆଲୋଚନା

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ ୨୬/୮: ମାଓ ମୁକାବିଲା ପାଇଁ ବଡ ରଣନୀତି । ଆଜି ଦିଲ୍ଲୀରେ ବସି ଗୃହ ବିଭାଗ ବୈଠକ । ମାଓ ଦମନ ପାଇଁ ରାଜ୍ୟର ଦରକାର କଣ ଏବଂ କେନ୍ଦ୍ର ନିକଟରେ କଣ ଦାବି ରଖାଯିବ ସେନେଇ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡିଜିଙ୍କ ଭିତରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । କେନ୍ଦ୍ର ଗୃହ ବିଭାଗ ଯେଉଁ ଏଜେଣ୍ଡା ପ୍ରସ୍ତୁତ କରିଛି ସେଥିରେ ରହିଛି ଦୁଇଟି ପ୍ରମୁଖ ଭାଗ ।

ଗୋଟିଏ ପଟେ ନକ୍ସଲ ଅଧ୍ୟୁଷିତ ଅଂଚଳରେ ବିକାଶ ଓ ଅନ୍ୟଟି ଦମନ ପାଇଁ ଜୋରଦାର ପ୍ରସ୍ତୁତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜି ଯୋଗ ଦେଉ ଥିବାରୁ ଏଥିରେ ମାଓ ଅଞ୍ଚଳରେ ବିକାଶ କାମକୁ ବେଶୀ ଯୋର ଦେବାକୁ ଯାଉଛି ଓଡିଶା । ରାଜ୍ୟର ଏବେ ୧୫ ଜିଲ୍ଲା ମାଓ ଅଧ୍ୟୁଷିତ ହୋଇଥିଲେ ବି ମୁଖ୍ୟତଃ ୫ଟି ଜିଲ୍ଲାରେ ମାଓ ଗତିବିଧି ଅଧିକ ଅଛି । ସେସବୁ ଜିଲ୍ଲାରେ ରୋଡ୍ ନେଟୱାର୍କ, ମୋବାଇଲ ଟାୱାର, ବ୍ୟାଙ୍କିଙ୍ଗ ସୁବିଧା କିଭଳି ହେବ ତା ଉପରେ ଜୋର ଦେବାକୁ ନିଷ୍ପତ୍ତି ହୋଇଛି । ବିଶେଷ କରି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମାଲକନାଗିରି ଜିଲ୍ଲାରେ ମାଓ ଗତିବିଧି କମିଥିବାରୁ ସେଭଳି କିଛି ଆଖିଦୃଶିଆ ବିକାଶ କାମ ବାକି ଜିଲ୍ଲାରେ କିଭଳି ହେବ ସେନେଇ କେନ୍ଦ୍ର ନିକଟରେ ଦାବି ରଖିବାକୁ ନିଷ୍ପତ୍ତି ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ସେଠି ଦେଶର ମାଓ ଅଧ୍ୟୁଷିତ ରାଜ୍ୟ ଗୁଡିକରେ କିଭଳି ନକ୍ସଲ ହଟାଅ କାର୍ଯ୍ୟ ତ୍ବରାନ୍ବିତ କରାଯିବ ସେନେଇ ଆଲୋଚନା ହେବ । ଯେଉଁସ୍ଥାନରେ ମାଓ ଗତିବିଧି ଅଧିକା ଅଛି ସେଠି ଅପରେସନକୁ ଜୋରଦାର କରିବା ସହ ସେଥିପାଇଁ ଆବଶ୍ୟକ ପଡୁଥିବା ପୋଲିସ ଫୋର୍ସ ମୁତୟନ ପାଇଁ ଖାଲିପଦବୀ ପୂରଣକୁ ଗୁରୁତ୍ବ ଦିଆଯାଉଛି ।

ସେହିଭଳି ମାଓବାଦୀଙ୍କ ପାଖକୁ ଆସୁଥିବା ଅର୍ଥକୁ ବନ୍ଦ କରିବା, ତଦନ୍ତ କାର୍ଯ୍ୟ ତ୍ବରାନ୍ବିତ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ କିଭଳି ହେବ ସେସବୁ ଉପରେ ଆଲୋଚନା ହେବ । ଏହାବାଦ୍ ରାଜ୍ୟ ରାଜ୍ୟ ଭିତରେ ସହଯୋଗ, ୟୁନାଇଟେଡ କମାଣ୍ଡ ସହ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ କଥା ବି ରହିଛି ଆଲୋଚନା ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.