ଅମିତ ଶାହଙ୍କୁ ଭାରତର ବଡ଼ ପପୁ ବୋଲି କହିଲେ ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ
8/09/2022 at 10:38 PM

କୋଲକାତା: ରାହୁଲ ଗାନ୍ଧୀଙ୍କର ଅପରିପକ୍ୱ ଭାବଭଙ୍ଗୀକୁ ନେଇ ବିଜେପି ତାଙ୍କୁ ସବୁବେଳେ ପପୁ ବୋଲି କହି ବ୍ୟଙ୍ଗ କରିଆସିଛି। ହେଲେ ଆଜି ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପପୁ ବୋଲି କହି କଡ଼ା ସମାଲୋଚନା କରିଛି ଟିଏମ୍ସି । ଅମିତ ଶାହଙ୍କ ଫଟୋ ସହ ‘ଭାରତର ସବୁଠାରୁ ବଡ଼ ପପୁ’ କ୍ୟାପ୍ସନ ଥିବା ଟି-ଶାର୍ଟ ବଣ୍ଟନ କଲା ବେଳେ ଶାହଙ୍କୁ କାହିଁକି ପପୁ ବୋଲି କୁହାଯାଉଛି ସେ ନେଇ ଲୋକଙ୍କୁ ବୁଝାଇଛନ୍ତି ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ।
ବେଆଇନ ଗୋ ଚାଲାଣ ଅଭିଯୋଗରେ ସିବିଆଇ ଓ ଇଡି ସ୍କାନରେ ଥିବା ଅଭିଷେକ ବାନାର୍ଜୀ ଆଜି ଶାହଙ୍କୁ ଭାରତର ସବୁଠାରୁ ବଡ଼ ପପ୍ପୁ ବୋଲି କହିଛନ୍ତି। ଗତ ସପ୍ତାହରେ ଅଭିଷେକଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲେ ଇଡି। ଏହାପରେ ଆଜି ଶାହଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି ଅଭିଷେକ। ଆଜି ରାଜ୍ୟରେ ଟିଏମ୍ସି କର୍ମୀଙ୍କୁ ସମ୍ବୋଧନ କଲାବେଳେ ଅଭିଷେକ କହିଛନ୍ତି “ ମୁଁ ଅମିତ ଶାହଙ୍କୁ ସବୁଠାରୁ ବଡ଼ ପପ୍ପୁ ବୋଲି କହୁଛି। ଏହା ପଛରେ କାରଣ ରହିଛି। ଦିଲ୍ଲୀର ଅପରାଧ ହାରକୁ ଦେଖନ୍ତୁ ଓ କୋଲକାତାର ଅପରାଧ ହାରକୁ ସବୁଠାରୁ କମ୍। ତୁମ ଏଜେନ୍ସି ଖୋଦ ଏହି ରିପୋର୍ଟ ଦେଉଛନ୍ତି। ଦିଲ୍ଲୀ ପୁଲିସ ଗୃହମନ୍ତ୍ରାଳୟ ଅଧୀନରେ ରହିଛି।”
ଅମିତ ଶାହଙ୍କୁ ଜାତୀୟତାର ପାଠ ପଢ଼ାଇ ଅଭିଷେକ କହିଛନ୍ତି “ଆପଣ(ଅମିତ ଶାହ) ଦେଶକୁ ଜାତୀୟତାର ପାଠ ପଢାଉଛ। ହେଲେ ଆପଣଙ୍କ ପୁଅଙ୍କୁ ଜାତୀୟ ପତାକା ଧରିବାକୁ ସମସ୍ୟା ହେଉଛି। ଆଗେ ତାକୁ ଜାତୀୟତାର ପାଠ ପଢ଼ାଅ।” ଦୁବାଇ କ୍ରିକେଟ୍ ମ୍ୟାଚ୍ରେ ଜୟ ଶାହ ତ୍ରିରଙ୍ଗା ଧରିବାକୁ ମନା କରିଥିବା ଭିଡିଓକୁ ଉଦାହରଣ ଦେଇ ଏପରି କହିଛନ୍ତି ଅଭିଷେକ। ଏଥିସହିତ ବିଭିନ୍ନ ବିରୋଧୀ ଦଳଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଲଗାଇବା ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଅଭିଷେକ।