ପ୍ରତି ମାସରେ ଗୋଟିଏ ସପ୍ତାହ ପଶ୍ଚିମବଙ୍ଗରେ ଡେରା ପକାଇବେ ଅମିତ୍ ଶାହା, ବଢିବ ମମତାଙ୍କ ମୁସ୍କିଲ ?
22/12/2020 at 8:15 PM

ନୂଆଦିଲ୍ଲୀ ୨୨।୧୨: ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଜେପି ଏବେଠୁ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦିନରେ ପାର୍ଟିର ପୂର୍ବତନ ସଭାପତି ତଥା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଦୁଇ ଥର ପଶ୍ଚିମବଙ୍ଗ ଗସ୍ତ କରି ସାରିଛନ୍ତି। ହେଲେ ରାଜ୍ୟରେ ସାଂଗଠିକ ସ୍ତରକୁ ଆହୁରି ମଜବୁତ କରିବା ଏବଂ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ମାତ୍ ଦେବା ପାଇଁ ପଶ୍ଚିମବଙ୍ଗରେ ଡେରା ପକାଇବାକୁ ଯାଉଛନ୍ତି। ଶାହାଙ୍କ ଏହି ଗସ୍ତରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁସ୍କିଲ ବଢିବାର ସମ୍ଭାବନା ରହିଛି।
ସୂତ୍ର ଅନୁଯାୟୀ, ଅମିତ୍ ଶାହା ଫେବୃଆରୀରୁ ପ୍ରତି ମାସରେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ରହିବେ। ନିଜ ଗସ୍ତ ସମୟରେ ରାଜ୍ୟ ନେତାଙ୍କ ସହ ବୈଠକ ବେଳେ ସେ ଏହି ସୂଚନା ଦେଇଛନ୍ତି। ବିଜେପିର ଏକ ବରିଷ୍ଠ ନେତା କହିଛନ୍ତି ଆଗାମୀ ଗସ୍ତ ପାଇଁ ଅମିତ୍ ଶାହାଙ୍କ କାର୍ଯ୍ୟାଳୟରୁ ଦୁଇଟି ତାରିଖ ସ୍ଥିର କରାଯାଇଛି। ଆଶା କରାଯାଉଛି ଅମିତ୍ ଶାହା ଜାନୁଆରୀ ୧୨ରେ ପଶ୍ଚିମବଙ୍ଗ ଗସ୍ତ କରି ପାରନ୍ତି। ସେହି ଦିନ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ମଧ୍ୟ ପଡୁଛି। ଏହା ବ୍ୟତୀତ ଶାହାଙ୍କ ଗସ୍ତର ଦ୍ଵିତୀୟ ତାରିଖ ଜାନୁଆରୀ ୨୩ ହୋଇପାରେ। ସେହି ଦିନ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ରହିଛି।
Amit Shah's next Bengal visit in Jan, to spend more time in poll-bound state from Feb
— ANI Digital (@ani_digital) December 22, 2020
Read @ANI Story | https://t.co/tcPJD3fpP3 pic.twitter.com/PAZ2IvGHiL
ପାର୍ଟିର ବରିଷ୍ଠ ନେତା କହିଛନ୍ତି, ଶାହାଙ୍କ ଗସ୍ତ ନେଇ ଜାନୁଆରୀ ମାସରେ ତାରିଖ ସ୍ଥିର ହୋଇଯିବ। ଅମିତ୍ ଶାହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୋଟ୍ ୨୯୪ ଆସନରୁ ୨୦୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ସେ ନିକଟରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ। ରୋଡ୍ ସୋ ମଧ୍ୟ କରିଥିଲେ।
ପଶ୍ଚିମବଙ୍ଗରେ ୨୦୨୧ ମଧ୍ୟ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ତରଫରୁ କୌଣସି ତାରିଖ ଘୋଷଣା ହୋଇ ନାହିଁ। ଅକ୍ଟୋବର-ନଭେମ୍ଵରରେ ଅନୁଷ୍ଠିତ ନିର୍ବାଚନ ପରେ ଆୟୋଗ କହିଥିଲେ ଯେ, କୌଣସି ବି ନିର୍ବାଚନ କରୋନା କାରଣରୁ ଘୁଞ୍ଚିବ ନାହିଁ।