ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅମିତ ଶାହ: ମହିଳାଙ୍କ ବିରୋଧରେ ୩୪ ପ୍ରତିଶତ ବୃଦ୍ଧି ପାଇଛି ହିଂସା

Published By : Prameya-News7 Bureau | September 24, 2018 IST

ପୁରୀ ୨୪/୯ : ମହିଳାଙ୍କ ବିରୋଧରେ ହିଂସା ଘଟଣାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି | ସେହି ଭଳି ଇଭ ଟିଜିଙ୍ଗ କ୍ଷେତ୍ରରେ ମଧ୍ୟ ୧ ନମ୍ବର ସ୍ଥାନରେ ରହିଛି | ଯୌତୁକ ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶାର ସ୍ଥାନ ଚତୁର୍ଥ | ଗଣଦୁଷ୍କର୍ମ କ୍ଷେତ୍ରରେ ଓଡିଶାର ସ୍ଥାନ ଦେଶରେ ପଞ୍ଚମ | ଏସିଡ ଫିଙ୍ଗା ଘଟଣାରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି ଏବଂ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି | ସାମଗ୍ରିକ ଭାବେ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ଘଟଣା ୩୪ ପ୍ରତିଶତ ବୃଦ୍ଧି ପାଇଛି | ନବୀନ ସରକାର ମହିଳା ବିରୋଧୀ | ମହିଳାଙ୍କୁ ସମ୍ମାନ ଦେବା ଏ ସରକାର ଜାଣିନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ପୁରୀ ଠାରେ କହିଛନ୍ତି | ଗତକାଲି ଠାରୁ ପୁରୀ ଠାରେ ଆରମ୍ଭ ହୋଇଥିବା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ | ରାଜ୍ୟର ମହିଳାଙ୍କ ଭିତରେ ନବୀନ ସରକାରଙ୍କ ବିରୋଧରେ ଆକ୍ରୋଶ ବୃଦ୍ଧି ପାଉଛି ବୋଲି ସ୍ପଷ୍ଟ ଜଣା ପଡ଼ିଲାଣି ଏବଂ ୨୦୧୯ ନିର୍ବାଚନରେ ନବୀନ ସରକାରଙ୍କୁ ପରିବର୍ତ୍ତନ କରିବା ଲାଗି ମହିଳାମାନେ ବଦ୍ଧପରିକର | ଅମିତ ଶାହ ଏଭଳି ଏକ ଆଶା ଓ ଆହ୍ୱାନ ଦେଇଛନ୍ତି କାର୍ଯ୍ୟକାରିଣୀରେ | ଅପରପକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ମହିଳାଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି | ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ଗତ ୫ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ମହିଳାମାନେ ଉପକୃତ ହୋଇଛନ୍ତି ବୋଲି ଶାହ ସୂଚନା ଦେଇଥିଲେ | ଉଜ୍ଜ୍ୱଳା ଯୋଜନାରେ ସାଢେ ୫ କୋଟି ମହିଳା ଗ୍ୟାସ ସଂଯୋଗ ପାଇଥିବା ବେଳେ ଜନଧନ ଯୋଜନାରେ ୧୬ କୋଟି ମହିଳାଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି | ମୁଦ୍ରା ଯୋଜନା ଆନୁକୁଳ୍ୟରେ ଋଣ ନେଇ ୧୩ କୋଟି ମହିଳା ଉପକୃତ ହୋଇଛନ୍ତି | ସ୍ୱଚ୍ଛ ଭାରତ ମିଶନ ଜରିଆରେ ସାଢେ ସତ କୋଟି ମହିଳାଙ୍କ ପାଇଁ ଶୌଚାଳୟ ତିଆରି କରାଯାଇଛି | ସେହିଭଳି ନିକଟରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିତୋଷିକ ବୃଦ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ଶାହ ତଥ୍ୟ ଉପସ୍ଥାପନା କରିଥିଲେ | ଓଡିଶାରେ ବାବୁ ରାଜ ଚାଲିଛି ବୋଲି କହି ସରକାରଙ୍କୁ କଟାକ୍ଷ କରିଥିଲେ ଶାହ | ଆଇଏଏସ ଓ ଆଇପିଏସ ଅଧିକାରୀମାନେ ଚାଟୁକାରିତା ଛାଡ଼ନ୍ତୁ ବୋଲି ଅମିତ ଶାହ କହିବା ସହ ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ କୌଣସି ସରକାର ରହିନଥାଏ ବୋଲି ଚେତାଇ ଦେଇଛନ୍ତି | ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରୁଥିବା ଯୋଜନା ଲୋକଙ୍କ ପାଖରେ ପହଂଚୁ ନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଭିଯୋଗ କରିଛନ୍ତି | ସେ କହିଛନ୍ତି ଯେ, ଚାଷୀଙ୍କ ଆୟ ଦେଢ଼ ଗୁଣ କରିବା ପାଇଁ ମୋଦି ସରକାର ଯୋଜନା କରିଛନ୍ତି | ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରାଯାଇଛି | କିନ୍ତୁ ମିଲର ମାନଙ୍କ ସହିତ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀର ଧାନ କିଣା ଯାଇପାରୁନାହିଁ | ପଡୋଶୀ ଛତିଶଗଡ଼ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର କିଭଳି ଚାଷୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରୁଛି ଟେକି ନବୀନ ବାବୁ ଦେଖିବା ଉଚିତ ବୋଲି ଶହ କହିଛନ୍ତି | ଆୟୁସ୍ମାନ ଭାରତ ଯୋଜନା ଦେଶରେ ଆରମ୍ଭ ହୋଇଛି | ସମଗ୍ର ଦେଶରେ ୫୦ କୋଟି ଲୋକ ଏହା ଦ୍ୱାରା ଉପକୃତ ହେବାକୁ ଯାଉଥିବା ବେଳେ ଓଡିଶାର ଲୋକ କିନ୍ତୁ ଏଥିରୁ ବଂଚିତ ହୋଇଛନ୍ତି | ମୋଦି କାଳେ ଲୋକପ୍ରିୟ ହୋଇଯିବେ ଏବଂ ନିଜ ଚୌକି କାଳେ ଚାଲିଯିବା ସେହି ଭୟରେ ନବୀନ ପଟ୍ଟନାୟକ ଏହି ଯୋଜନାରେ ଓଡିଶାକୁ ସାମିଲ କରୁନାହାନ୍ତି ବୋଲି ଶାହ କହିଛନ୍ତି | ତେବେ ୨୦୧୯ ନିର୍ବାଚନ ପରେ ଓଡିଶାରେ ବିଜେପିର ଶାସନ ଆରମ୍ଭ ହେବ | ବିଜେପି କ୍ଷମତାକୁ ଆସିବାର ପରଦିନ ହିଁ ରାଜ୍ୟରେ ଆୟୁସ୍ମାନ ଯୋଜନା ଲାଗୁ କରିବା ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି | ଚାଷୀଙ୍କ ପ୍ରତି ନବୀନ ସରକାରଙ୍କ ଅବିଚାରକୁ ବିଜେପି ଆଉ ବରଦାସ୍ତ କରିବା ନାହିଁ ବୋଲି ଶାହ ଚେତାବନୀ ଦେଇ କହିଛନ୍ତି ଯେ, ବିଜେପି କର୍ମୀମାନେ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ | ନବୀନ ସରକାରଙ୍କ ଅବସ୍ଥା ଖରାପ କରିବେ | କ୍ଷମତାକୁ ଆସିବା ପରେ ନକଲି ଓ ବିଷାକ୍ତ ମଦ କାରବାର କରୁଥିବା ମାଫିଆ ମାନକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାହ କହିଥିଲେ | ୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଲାଗି ମହିଳାମାନଙ୍କୁ ଆହ୍ୱାନ ଦେଇ ଶାହ ତାଙ୍କ ବକ୍ତବ୍ୟ ସାରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.