ଭାରତ ଯୋଡୋ ଯାତ୍ରାକୁ ନେଇ ଅମିତ ଶାହଙ୍କ ଟିପ୍ପଣୀ, କହିଲେ ବିଦେଶୀ ଟି-ସାର୍ଟ ପିନ୍ଧି ଦେଶ ଯୋଡିବାକୁ ବାହାରିଛନ୍ତି ରାହୁଲ
10/09/2022 at 4:59 PM

ଜୈସାଲମେର ୧୦।୯: ଭାରତୀୟ ଜନତା ପାର୍ଟି (ବିଜେପି ) ଓବିସି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରଣୀ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶାହ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ବିଦେଶୀ ଟି-ସାର୍ଟ ପିନ୍ଧି ରାହୁଲ ଗାନ୍ଧି ଦେଶ ଯୋଡିବାକୁ ବାହାରିଛନ୍ତି, ମୋତେ ଲାଗୁଛି ତାଙ୍କୁ ଭାରତର ଇତିହାସ ପଢିବାର ଆବଶ୍ୟକତା ଅଛି ।
ରାହୁଲଙ୍କ ଭାରତ ଯୋଡୋ ପଦ ଯାତ୍ରା ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି। କନ୍ୟାକୁମାରୀରୁ କାଶ୍ମୀର ବାହାରିଥିବା ଏହି ପଦଯାତ୍ରାରେ ରାହୁଲ ଓ କଂଗ୍ରେସ ସହ ଲୋକେ ବେଶ ଯୋଡି ହେୁଥିବା ଦେଖିବାକୁ ମିଳୁଛନ୍ତି। ରାସ୍ତାରେ ରାହୁଲ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ନେତାଙ୍କୁ ମଧ୍ୟ ଭେଟୁଛନ୍ତି। ରାସ୍ତା କଡରେ ଚା ଓ ପଇଡର ଅସର ମଧ୍ୟ ଜମୁଛି। ଏଥିରେ ବି ରାଜନୀତି ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ ଶନିବାର ପୂର୍ବାହ୍ନରେ ଶାହଙ୍କୁ ରାଜସ୍ଥାନ ୟୁନିଟି ଅଧ୍ୟକ୍ଷ ସତୀଶ ପୁନିଆ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଶାହ ଜୈସାଲମେର ପହଞ୍ଚିବ ପରେ ତନ୍ନୋଟ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ମନ୍ଦିରର ପର୍ଯ୍ୟଟନ ବିକାଶ ଲାଗି ଶିଳାନ୍ୟାସ କରିଥିଲେ।
ଗସ୍ତକାଳରେ ଅମିତ ଶାହ ବିଜୟ ସ୍ତମ୍ବରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଥିବା ତନ୍ନୋଟ ମାତା ମନ୍ଦିରର ପରିଚାଳନା ଦାୟିତ୍ୱ ସୀମା ସୁରକ୍ଷା ବଳ (ବିଏସଏଫ) ସମ୍ଭାଳିଛନ୍ତି। ଏହି ମନ୍ଦିରଟି ଜୈସାଲମେର ସହରରୁ ୧୨୦ କିଲୋମିଟର ଦୂରରେ ପାକ୍ ସୀମା ସଲଗ୍ନ ଭାରତରେ ଅବସ୍ଥିତ। ଏହି ମନ୍ଦିର ୧୯୬୫ ଓ ୧୯୭୧ ଭାରତ-ପାକ ଯୁଦ୍ଧରେ ମାଙ୍କ ମହିମା ଦେଖା ଯାଇଥିଲା।