ଅମୀର ଖାନଙ୍କ ବିଜ୍ଞାପନକୁ ନେଇ ତେଜିଲା ବିବାଦ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଲେ ଭାରତୀୟ ପରମ୍ପରା ସହ ହେଉଛି ଖେଳ

Published By : Prameya-News7 Bureau | October 12, 2022 IST

ଭୋପାଲ ୧୨।୧୦: ବଲିଉଡ୍ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବା ଆଗରୁ ଅମୀର ଖାନଙ୍କ ଏକ ବିଜ୍ଞାପନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି। ବିଜ୍ଞାପନ ଯୋଗୁ ମିଷ୍ଟର ପରଫେକ୍ସନିଷ୍ଟ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗରେ ଫଶି ଯାଇଛନ୍ତି। କିୟାରା ଆଡଭାନୀଙ୍କ ସହ ଅମୀରଙ୍କର ଏକ ଘରୋଇ ବ୍ୟାଙ୍କ ପାଇଁ ବିଜ୍ଞାପନ ପ୍ରସାରିତ ହେଉଛି। ଏହି ବିଜ୍ଞାପନ ଉପରେ ସାମାଜିକ ଭାବନା ଆହତ କରିବା ଭଳି ଗୁରୁତର ଅଭିଯୋଗ ହେଉଛି।

ଏଥିରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ବିଜ୍ଞାପନକୁ ନେଇ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଅମୀରଙ୍କୁ ଧାର୍ମିକ ଭାବନା ଆହତ ନ କରିବାକୁ ଉପଦେଶ ମଧ୍ୟ ଦେଇଛନ୍ତି। ନରୋତ୍ତମ ମିଶ୍ର କହିଛନ୍ତି ଯେ ଅମୀର ଖାନ ଏକ ଘରୋଇ ବ୍ୟାଙ୍କ ବିଜ୍ଞାପନରେ ଗୃହ ପ୍ରବେଶକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ବାସ୍ତବିକ ଆହତ କରିବା ଭଳି। ଧାର୍ମିକ ଆସ୍ଥା ଓ ରିତି ରିବାଜ ଉପରେ ଏହା ସିଧା ଆକ୍ରମଣ ବୋଲି ସେ କହିଛନ୍ତି। ଏ ନେଇ ମୋତେ ଅଭିଯୋଗ ମିଳୁଥିବାର ମଧ୍ୟ କହିଛନ୍ତି। ଏଣୁ ଅମୀର ଫିଲ୍ମ କରନ୍ତୁ କି ବିଜ୍ଞାପନ ଏଥିରେ ଭାରତୀୟ ପରମ୍ପରା ଓ ସଂସ୍କାରକୁ ଧ୍ୟାନରେ ରଖନ୍ତୁ ବୋଲି ମିଶ୍ର କହିଛନ୍ତି।

wp:html /wp:html

ଉଲ୍ଲେଖ ଯୋଗ୍ୟ ଯେ ଘରୋଇ ବ୍ୟାଙ୍କର ଏହି ବିଜ୍ଞାପନରେ ଅମୀର ଖାନ ଓ କିୟାରାଙ୍କୁ ପତି-ପତ୍ନୀ ଭାବେ ଦେଖାଯାଇଛି। ସେମାନେ ବିବାହ ପରେ ନିଜ ଘରକୁ ଯାଉଛନ୍ତି। ତେବେ ଏଥିରେ ଖାସ କଥା ହେଉଛି ଏଥିରେ ବଧୂ ଜାଗାରେ ବରକୁ ବିଦାୟ ଦିଆଯାଉଛି। କାରଣ ବୋହୂର ପିତାଙ୍କ ଅସୁସ୍ଥତା ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ବେମାର ଶ୍ୱଶୂରଙ୍କୁ ଦେଖିବା ପରେ ଅମୀର ପତ୍ନୀଙ୍କ ସହିତ ରହି ତାଙ୍କ ପିତାଙ୍କ ଯତ୍ନ ନେବାକୁ ଚାହିଁଛନ୍ତି। ବର ନିଜର ନୂଆ ଘରେ ପ୍ରବେଶ କରୁଛନ୍ତି। ଯେଉଁଠି ତାଙ୍କୁ ବୋହୂ ଭଳି ସ୍ୱାଗତ କରାଯାଉଛି। ଏହା ପରେ ଅମୀର ଏକ ବ୍ୟାଙ୍କରେ ଦେଖାଯାଉଛନ୍ତି। ଯେଉଁଠାରେ ସେ କହୁଛନ୍ତି ବର୍ଷବର୍ଷ ଧରି ପରମ୍ପରା କାହିଁକି ଚଳି ରହିବ? ଏଥିଲାଗି ଆମେ ବ୍ୟାଙ୍କିଙ୍ଗ ପରମ୍ପରା ଉପରେ ପ୍ରଶ୍ନ ଉଠାଉଛୁ ବୋଲି କହୁଛନ୍ତି।  

ଅମୀରଙ୍କ ଏହି ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ ହେଉଛି। ଅନେକ ୟୁଜର ବିଜ୍ଞାପନ ଦେଖିବା ପରେ ସେମାନଙ୍କ ଅସନ୍ତୋଷ ପ୍ରକଟ କରିଛନ୍ତି। ତେବେ ଏପରି ଘଟଣା ଅମୀରଙ୍କ ଲାଗି ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ଅମୀରଙ୍କ ବିରୋଧରେ ଲୋକଙ୍କ ଭାବନାକୁ ଆହତ କରିବା ଭଳି ଅଭିଯୋଗ ହୋଇଛି। ତେବେ ଏପର୍ଯ୍ୟନ୍ତ ଅମୀର ଖାନ ଓ କିୟାରା ଆଡଭାନୀଙ୍କ ଟ୍ରୋଲ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.