ବିଧୁଡିଙ୍କୁ ନେଇ ବିବାଦ ମଧ୍ୟରେ ଦାନିସ୍ ଅଲ୍ଲୀଙ୍କ ଘରକୁ ଗଲେ ରାହୁଲ ଗାନ୍ଧି, ଭାବୁକ ହେଲେ ବସପା ସାଂସଦ
22/09/2023 at 9:36 PM

ନୂଆଦିଲ୍ଲୀ ୨୨।୯: ବହୁଜନ ସମାଜ ପାର୍ଟି (ବସପା) ସାଂସଦ ଦାନିସ ଅଲ୍ଲୀଙ୍କ ବିରୋଧରେ ବିଜେପି ସାଂସଦ ରମେଶ ବିଧୁଡିଙ୍କ ଆପତ୍ତିଜନକ ବୟାନକୁ ନେଇ ରାଜନୀତି ଏବେ ଉଷ୍ମ। ବିଧୁଡିଙ୍କ ବୟାନକୁ ଚାରିଆଡୁ ସମାଲୋଚନା କରାଯାଉଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ଦାନିସ ଅଲ୍ଲୀଙ୍କୁ ଭେଟିବା ଲାଗି ତାଙ୍କୁ ଘରକୁ ଯାଇଥିଲେ। ରାହୁଲଙ୍କ ସାଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ ଓ ସାଂସଦ ଇମ୍ରାନ ପ୍ରତାପଗଡ଼ି ମଧ୍ୟ ଥିଲେ।
ଦାନିସ ଅଲ୍ଲୀଙ୍କୁ ଭେଟିବା ପରେ ରାହୁଲ ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଲାଗିଲାଣି। ଦାନିସ ମଧ୍ୟ ରାହୁଲଙ୍କ ସହ ଭେଟ ପରେ ସେ ନିଜକୁ ବେଶ୍ ଆଶ୍ୱସ୍ତ ମନେ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ମୁଁ ଦୁନିଆରେ ଏବେ ଆଉ ଏକାକୀ ଅନୁଭବ କରୁ ନାହିଁ। ରାହୁଲ ଏଠାକୁ ମୋ ସାହସ ବୃଦ୍ଧି କରିବାକୁ ଆସିଥିଲେ। ସେ ମୋତେ କହିଥିଲେ ଯେ ଏହି ସବୁ କଥାକୁ ମନରେ ଧରନା ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖ। ତାଙ୍କ କଥା ମୋତେ ଭଲ ଲାଗିଲା ଓ ଲାଗିଲା ଯେପରି ମୁଁ ଦୁନିଆରେ ଏକାକୀ ନାହିଁ ବୋଲି ଦାନିସ କହିଛନ୍ତି।
Shri @ombirlakota ji, please take it seriously as this is the first attack on parliamentary democracy in the new Parliament building. Shri @rameshbidhuri must be punished as per the rules to save the dignity of the House. pic.twitter.com/YWnPjc7jbR
— Kunwar Danish Ali (@KDanishAli) September 22, 2023
ଦାନିସ କହିଛନ୍ତି ଯେ ବିଧୁଡିଙ୍କ ଏହି ବୟାନ ମୋ ବିରୋଧରେ ନୁହେଁ ବରଂ ଗଣତନ୍ତ୍ର ବିରୋଧରେ ଓ ସମ୍ବିଧାନ ଉପରେ ଆକ୍ରମଣ। ଏହା ଦୁଃଖଦ କଥା ଘୃଣାର ଦୋକାନ ଏବେ ସଡକରେ ମଧ୍ୟ ଖୋଲିଗଲାଣି। ଏବେ ଅମୃତ କାଳରେ ନୂଆ ସଂସଦ ମଧ୍ୟ ଖୋଲିଛି, ତେବେ ଲୋକସଭା ଆମର ସଂରକ୍ଷକ ବୋଲି ସେ କହିଛନ୍ତି। ଏହି ଅବସରରେ ବସପା ସାଂସଦ ଦାନିସ କହିଛନ୍ତି ଯେ ଯଦି ବିଧୁଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ସେ ଲୋକସଭା ସାଂସଦ ସଦସ୍ୟତା ଛାଡିବା ନିମନ୍ତେ ବିଚାର କରିପାରନ୍ତି।
ଏ ନେଇ ସେ ଲୋକସଭା ସାଂସଦ ଓମ ବିରଳାଙ୍କୁ ଲେଖିଥିବା ପତ୍ରରେ ସଂସଦ କାର୍ଯ୍ୟକ୍ରମ କାଳରେ ବିଧୁଡି ତାଙ୍କ ଭାଷଣରେ ମୋ ବିରୋଧରେ ବହୁତ ଅଭଦ୍ର ଓ ଆପତ୍ତିଜନକ ମନ୍ତବ୍ୟ ସବୁ ଦେଇଛନ୍ତି। ଯାହା ଲୋକସଭା ରେକର୍ଡରେ ରହିଛି। ସେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହିତ ଲୋକସଭା ବାଚସ୍ପତି ଭାବେ ଆପଣଙ୍କ ନୂଆ ସଦନରେ ଘଟିଛି। ଏଣୁ ମୋତେ ସୁରକ୍ଷା ପାଇଁ କେଉଁଠାକୁ ଯିବାକୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ଲୋକସଭାରେ ବିଧୁଡି ମୋ ବିରୋଧରେ ଯେଉଁ ଆପତ୍ତିଜନକ ଭାଷଣ ଦେଇଛନ୍ତି ତାହା କେବଳ ମୋ ନିମନ୍ତେ ନୁହେଁ ତମାମ ମୁସଲମାନ ସମୂଦାୟ ନିମନ୍ତେ ଅପମାନ ଜନକ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ସେ ରମେଶ ବିଧୁଡିଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।