ଅଜିତ ପାୱାର ମିଶିବା ପରେ ଏକନାଥଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ନେଇ ଖୁବ୍ ଚର୍ଚ୍ଚା; ଏନେଇ କ’ଣ କହିଲେ ସିନ୍ଦେ ଜାଣନ୍ତୁ
6/07/2023 at 6:56 PM

ମୁମ୍ବାଇ: ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗ ଦେବା ପରେ ସିନ୍ଦେଙ୍କ ଅବସ୍ଥା ଶୋଚନୀୟ ହୋଇପାରେ। ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଏକନାଥ ସିନ୍ଦେ। ଏସବୁ ଗୁଜବ ଏଥିରେ କୌଣସି ସତ୍ୟାସତ୍ୟ ନାହିଁ। ମୋ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ସମର୍ଥନ ରହିଛି ବୋଲି ଏକନାଥ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ବିକାଶ ହେଉଛି ବୋଲି ଅଜିତ ପାୱାର ଅନୁଭବ କରି ସରକାରରେ ଯୋଗ ଦେଲେ। ଏବେ ଟ୍ରିପଲ ଇଞ୍ଜିନ ହେଲା। କାମ ଆହୁରି ବଢ଼ିବ ବୋଲି ସିନ୍ଦେ କହିଛନ୍ତି। ଏଭଳି ଗୁଜବ ମୁଁ ମୁଖ୍ୟମନ୍ତ୍ରୀ ଶପଥ ହେବା ପରଠାରୁ ହେଇ ଆସୁଛି। ଏଥର ଆମ ସରକାରରେ ବିଧାୟକ ସଂଖ୍ୟା ବଢ଼ିଗଲା। କାମ ହେଉଥିବାରୁ ଏମାନଙ୍କ ପେଟରେ ଯନ୍ତ୍ରଣା ହେଉଛି ବୋଲି ସିନ୍ଦେ କହିଛନ୍ତି।
ସିନ୍ଦେ ଆହୁରି କହିଛନ୍ତି ଯେ ରାଜ୍ୟରେ ତିନି ଦଳର ବିଧାୟକ ମିଶି ସଂଖ୍ୟା ୨୦୦ ପାର ହୋଇଛି। ଆମର ଡବଲ ଇଞ୍ଜିନ ସରକାର ମଜଭୁତର ସହ କାମ କରୁଛି। ବୁଧବାର ଦଳୀୟ କର୍ମୀଙ୍କ ସହ ବୈଠକ କରି ସମସ୍ତ ବିଧାୟକଙ୍କୁ ବିଜେପି ଓ ଏନ୍ସିପି ସହିତ ମିଶି କାମ କରିବାକୁ ସିନ୍ଦେ କହିଥିବା ସୂଚନା ଦେଇଛନ୍ତି।
ପଢ଼ନ୍ତୁ-NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ, ପାର୍ଟି ଉପରେ ଜାହିର କଲେ ଦାବି
ସେହିପରି ସିନ୍ଦେଙ୍କ ପକ୍ଷର ବିଧାୟକ ତଥା ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି ଯେ ସିନ୍ଦେ ଓ ବିଧାୟକଙ୍କ ମଧ୍ୟରେ କୌଣସି ଅସନ୍ତୋଷ ନାହିଁ କି ସିନ୍ଦେ ଇସ୍ତଫା ଦେବେ ନାହିଁ। ଏସବୁ ଗୁଜବ। ଦଳରେ ଯାହା ଘଟୁଛି ସେମାନେ(ଏନ୍ସିପି) ଆତ୍ମନିରୀକ୍ଷଣ କରୁଛନ୍ତି ବୋଲି ସାମନ୍ତ କହିଛନ୍ତି।
ଏକନାଥ ସିନ୍ଦେ ଦଳୀୟ ବିଧାୟକଙ୍କ ସହିତ ବୈଠକ କରି କହିଛନ୍ତି ଯେ ଆଗାମୀ ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀ ସର୍ବାଧିକ ଲୋକସଭା ଆସନ ଜିତିବା ଆବଶ୍ୟକ। ତୁମର(ବିଧାୟକମାନେ) ସ୍ୱାର୍ଥର ସୁରକ୍ଷା ମୋର ଦାୟିତ୍ୱ। ଅଜିତ ପାୱାରଙ୍କ ସହ ତୁମର ସମନ୍ୱୟ ଭଲ ନୁହେଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ବର୍ତ୍ତମାନ ଏସବୁ ମୁଁ ଦେଖିବି ବୋଲି ସିନ୍ଦେ ତାଙ୍କ ବିଧାୟକଙ୍କୁ କହିଛନ୍ତି।
ସିନ୍ଦେ ଆହୁରି କହିଛନ୍ତି ଯେ ସମସ୍ତ ଦଳର ନିଜର ଦୃଢ଼ ସ୍ଥାନ ରହିଛି। ତେଣୁ ପାରସ୍ପରିକ ବିରୋଧ ଭଳି କୌଣସି ଅସୁବିଧା ନାହିଁ। ଯିଏ ଶକ୍ତିଶାଳୀ ସେଠାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଅନ୍ୟ କେହି ଏଥିରେ ହସ୍ତକ୍ଷେପ କରିବେ ନାହିଁ। ସିନ୍ଦେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରିତ ହେବ ସେତେବେଳେ ତାଙ୍କ ଦଳର ପ୍ରତିନିଧୀମାନେ ମଧ୍ୟ ସରକାରରେ ରହିବେ ବୋଲି ସିନ୍ଦେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।