କରୋନାର ନୂଆ ଷ୍ଟ୍ରେନ୍ : ବ୍ରିଟେନ୍‌ରୁ ଦିଲ୍ଲୀ ଓ କୋଲକାତା ଫେରିଥିବା ୭ ଯାତ୍ରୀ କରୋନା ଆକ୍ରାନ୍ତ, ସବୁ ବିମାନବନ୍ଦରରେ ହାଇଆଲର୍ଟ

Published By : Prameya-News7 Bureau | December 22, 2020 IST

କୋଲକାତା ୨୨/୧୨ : କୋଲକାତା ବିମାନବନ୍ଦରରେ ବ୍ରିଟେନରୁ ଫେରିଥିବା ୭ ଜଣ ଯାତ୍ରୀଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହା ଜଣାପଡିବା ପରେ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ପୁଣି ଥରେ କରୋନାର ନୂଆ ଗୁଣସୂତ୍ରଧାରୀ ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ରବିବାର ରାତିରେ ବ୍ରିଟେନ୍‌ରୁ ଆସି କୋଲକାତା ବିମାନବନ୍ଦରରେ ପହଞ୍ଚିଥିବା ୨୨୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ କରୋନା ରିପୋର୍ଟ୍‌ ସାଙ୍ଗରେ ଆଣିନଥିଲେ । ​‌ତେବେ ପରୀକ୍ଷା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ ନିକଟସ୍ଥ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି ।

ବ୍ରିଟେନ୍‌ରେ ନୂଆ ଗୁଣସୂତ୍ରଧାରୀ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ବିମାନଗୁଡିକୁ ଡିସେମ୍ବର ୩୧ ଯାଏଁ ବାତିଲ କରାଯାଇଛି । ଏମସ୍‌ର ଡାକ୍ତର ରଣଦୀପ ଗୁଲେରିୟା କହିଛନ୍ତି ଯେ, ନୂଆ ଗୁଣସୂତ୍ରଧାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପଡିବ  । ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ନୂଆ ଗୁଣସୁତ୍ରଧାରୀ କରୋନା କିପରି ପ୍ରଭାବିତ କରୁଛି ସେ ନେଇ ଭ୍ୟାକସିନ୍ ମଧ୍ୟ ଜରୁରୀ ହୋଇପାରେ । ତେଣ ଏଥିପ୍ରତି ସମସ୍ତଙ୍କୁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସୋମବାର ଲଣ୍ଡନରୁ ଆସିଥିବା ବିମାନର ୫ ଜଣ ଯାତ୍ରୀଙ୍କ ଠାରେ କରୋନା ଭାଇରସ ଥିବା ଜଣାପଡିଛି କିନ୍ତୁ ସେମାନଙ୍କ ଶରୀରରେ କରୋନାର ନୂଆ ଗୁଣସୂତ୍ରଧାରୀ ସଂକ୍ରମଣ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହା ବାଦ ବେଙ୍ଗାଲୁରୁ ବିମାନବନ୍ଦରରେ ମଧ୍ୟ ଲଣ୍ଡନ ଫେରନ୍ତା କିଛି ଯାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ଥିବା ଜଣାପଡିଛି । ବ୍ରିଟେନ୍‌ରେ ନୂଆ ଗୁଣସୂତ୍ରଧାରୀ କରୋନା ସଂକ୍ରମଣ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ତେବେ ଡିସେମ୍ବର ୩୧ ଯାଏଁ ବ୍ରିଟେନ୍‌ରୁ ଆସିବାକୁ ଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.