ଶ୍ରୀନଗର: ସୁରକ୍ଷା ବ୍ୟବସ୍ଥାକୁ ଯେତେ କଡ଼ାକଡ଼ି କଲେ ବି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ନରହତ୍ୟା ରୋକିବାର ନାଁ ଧରୁ ନାହିଁ। ନିକଟରେ ରାଜୌରୀ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଯାହାକୁ ନେଇ ଘାଟିରେ ଉତ୍ତେଜନା ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ିଛି।
ଏହି ଘଟଣା ପରେ ଜାମ୍ମୁ-କାଶ୍ମୀର ଅତିରିକ୍ତ ୧୮ କମ୍ପାନୀ ସିଆର୍ପିଏଫ୍ ପଠାଇବାକୁ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ୧୮ ସିଆର୍ପିଏଫ୍ କମ୍ପାନୀରେ ପାଖାପାଖି ୧୮୦୦ ଯବାନ ଜାମ୍ମୁ-କାଶ୍ମୀର ଯିବେ। ଏମାନଙ୍କୁ ଆତଙ୍କବାଦୀପ୍ରବଣ ପୁଞ୍ଚ ଓ ରାଜୌରୀ ଜିଲ୍ଲାରେ ମୁତୟନ କରାଯିବ।
ସୂଚନା ଅନୁସାରେ,ଖୁବ୍ଶୀଘ୍ର ସିଆର୍ପିଏଫ୍ର ୮ କମ୍ପାନୀ ନିକଟ ଅଞ୍ଚଳରୁ ଆସି ନିୟୋଜିତ ହେବେ। ବାକି ୧୦ କମ୍ପାନୀ ଦିଲ୍ଲୀରୁ ଶ୍ରୀନଗର ଯିବେ। ଜାମ୍ମୁ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଥାଉକି ରବିବାର ସନ୍ଧ୍ୟା ଓ ସୋମବାର ସକାଳେ ଜାମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲା ଅପର ଡାଙ୍ଗରୀ ଗାଁରେ ହୋଇଥିବା ଦୁଇଟି ଅଲଗା ଅଲଗା ଆତଙ୍କବାଦୀ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଦୁଇଟି ଛୋଟ ପିଲା ବି ଅଛନ୍ତି। ୬ ମୃତ୍ୟୁ ସହ ଅନେକ ଆହତ ମଧ୍ୟ ହୋଇଛନ୍ତି।
ସୋମବାର ସକାଳେ ଡାଙ୍ଗରୀ ଗାଁରେ ଆଇଡି ବିସ୍ଫୋରଣରେ ଏହି ଦୁର୍ଘଟଣା ଘଟିଛି। ସେହିପରି ରବିବାର ଗୁଳିମାରି ୪ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ।