ଆର୍ଥିକ ସଙ୍କଟରେ ସ୍ପାଇସଜେଟ, ୧୫୦ କ୍ୟାବିନ କ୍ରୁଙ୍କୁ ୩ ମାସ ଛୁଟିରେ ପଠାଇଲା କମ୍ପାନି

Published By : Prameya-News7 Bureau | August 30, 2024 IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାରଲାଇନ ସ୍ପାଇସଜେଟ୍, ଗୁରୁବାର ଏହାର ୧୫୦ କ୍ୟାବିନ କ୍ରୁଙ୍କୁ ୩ ମାସ ଛୁଟିରେ ପଠାଇଛି । ମାନ୍ଦା ସିଜିନ ଯୋଗୁଁ ବ୍ୟବସାୟରେ ହ୍ରାସ ହେବା, କମ୍ପାନିର ବିମାନ ସଂଖ୍ୟା କମିବା ତଥା ଏୟାରଲାଇନର ଦୀର୍ଘକାଳୀନ ସ୍ଥିରତା ରକ୍ଷା ଭଳି କାରଣକୁ ଦୃଷ୍ଟିରେ ରଖି ନିଆଯାଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଛଅ ବର୍ଷରୁ କ୍ଷତିରେ ଚାଲୁଛି କମ୍ପାନି। ଫଳରେ ଏବେ କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ମୁସ୍କିଲ ହେଉଛି। ସେପଟେ ପୁଣି ଏୟାରଲାଇନ ବିମାନ ଲିଜଧାରୀ, ଇଞ୍ଜିନ ଲିଜଧାରୀ, ଋଣଦାତା ଏବଂ ପୂର୍ବତନ ପ୍ରମୋଟର କଳାନିଧି ମାରନଙ୍କ ବକେୟାକୁ ନେଇ ଆଇନଗତ ଲଢ଼େଇରେ ଫସି ରହିଛି। 

ଏୟାରଲାଇନ ଆହୁରି କହିଛି, ଆଗାମୀ କ୍ୟୁଆଇପି (QIP) ପରେ ବିମାନ ସଂଖ୍ୟା ବଢ଼ାଯିବ, ସେତେବେଳେ କ୍ୟାବିନ କ୍ରୁ ସଦସ୍ୟଙ୍କୁ ଆକ୍ଟିଭ ଡ୍ୟୁଟିକୁ ଫେରାଯିବ। ଗତ ମାସରେ ମଧ୍ୟ ସ୍ପାଇସଜେଟ କ୍ବାଲିଫାଏଡ ଇଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ (QIP) ଦ୍ବାରା ୩ ହଜାର କୋଟି ଟଙ୍କା ଏକାଠି କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଯାହା ସେପ୍ଟେମ୍ବର ଶେଷ ସୁଦ୍ଧା ପୂରା ହେବା ନେଇ ଅନୁମାନ କରାଯାଉଛି। 

୨୦୨୪ର ଆରମ୍ଭରେ ଏୟାରଲାଇନର ଶେୟାରଧାରୀ ୨,୨୪୧ କୋଟି ଟଙ୍କା ଏକାଠି କରିବା ପାଇଁ ଇକ୍ବିଟି ଏବଂ ଓ୍ବାରେଣ୍ଟ ଜାରି ପାଇଁ ମଞ୍ଜୁରୀ ଦେଇଥିଲେ। ଯାହାଦ୍ବାରା କେବଳ ୧,୦୬୦ କୋଟି ଟଙ୍କା ଯୋଗାଡ଼ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏୟାରଲାଇନ ଶେଷ ଥର ୨୦୧୭-୧୮ରେ ଲାଭରେ ରହିଥିଲା ଯେତେବେଳେ କମ୍ପାନି ୫୫୭.୪ କୋଟି ଟଙ୍କାର କନସୋଲିଡେଟେଡ ନେଟ ପ୍ରଫିଟ ଆୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.