ଭଲ ଅମଳ ହେବା ଅପେକ୍ଷାରେ ଚାଷୀ; ଏପଟେ ଏମ୍‌ଏସ୍‌ପିରେ ଗହମ କିଣିବା ଟାର୍ଗେଟ୍ କମାଇଲେ କେନ୍ଦ୍ର ସରକାର

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ଏଥର ପ୍ରଚୁର ଅମହଳ ହେବ ବୋଲି କୁହାଯାଉଥିବା ବେଳେ ଚାଷୀଙ୍କୁ ସରକାର ଝଟ୍‌କା ଦେଇଛନ୍ତି। ସରକାର ଫସଲ କିଣିବା ଟାର୍ଗେଟ କମାଇ ଦେଇଛନ୍ତି। କେନ୍ଦ୍ର ସରକାର ୨୦୨୪-୨୫ ମାର୍କେଟିଂ ସିଜନରେ ଏମ୍ଏସ୍‌ପି ମୂଲ୍ୟରେ ଗହମ କିଣିବା ଟାର୍ଗେଟ୍ କମାଇ ଦେଇଛନ୍ତି। ନୂଆ ଟାର୍ଗେଟ୍ ଅନୁସାରେ, ସରକାର ରବି ମାର୍କେଟିଂ ସିଜନରେ ମାତ୍ର ୩୦୦ରୁ ୩୨୦ ଲକ୍ଷ ଟନ ଗହମ କିଣିବେ। ଏହା ପୂର୍ବରୁ ୨୦୨୩-୨୪ ବର୍ଷରେ ୩୪୧.୫ ଲକ୍ଷ ଟନ ଗହମ କିଣିବା ନେଇ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିଲା।

ସରକାର ରାଜ୍ୟର ଖାଦ୍ୟ ସଚିବଙ୍କ ସହ ବୈଠକ କରି ରବି ସିଜନରେ ଫସଲ କିଣିବାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।। ଏହାପରେ ଖାଦ୍ୟ ଓ ଖାଉଟି ଉପଭୋକ୍ତା ସମ୍ପର୍କିତ ମନ୍ତ୍ରଣାଳୟ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

ମନ୍ତ୍ରଣାଳୟ କହିଛି ଯେ ୨୦୨୪-୨୫ରେ ରବି ମାର୍କେଟିଂ ସିଜନରେ ୩୦୦ରୁ ୩୨୦ ଲକ୍ଷ ଟନ୍ ଗହମ କିଣିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି। ଖାଦ୍ୟ ମନ୍ତ୍ରଣାଳୟ କହିଛି ଯେ ବୈଠକରେ ପାଣିପାଗର ପରିସ୍ଥିତି, ଉତ୍ପାଦନ ଆକଳନ ଏବଂ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କାରଣ ଏଗୁଡ଼ିକ ସରକାରୀ କ୍ରୟ ଉପରେ ପ୍ରଭାବ ପକାଇଥାଏ।

ପଢ଼ନ୍ତୁ-ପିଏମ୍‌ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧ କୋଟି ଘରକୁ ବିଜୁଳି ମାଗଣା

ଦେଶର କୃଷକମାନେ ଖୁବ୍ ଶୀଘ୍ର ଗହମ ଫସଲ ଅମଳ ଆରମ୍ଭ କରିବେ ସେପଟେ ସରକାର ମଧ୍ୟର ଏହାର ଷ୍ଟକ୍ ପାଇଁ ଗହମ କିଣିବାକୁ ପ୍ରସ୍ତୁତି କରିବାକୁ ଯାଉଛନ୍ତି। ତେବେ ଏହାପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ଗହଣ କିଣିବା ନେଇ ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

ସୂଚନା ଅନୁସାରେ, ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ପାଖରେ ୨୦୧୬ ମସିହା ଠାରୁ ବି କମ୍ ଗହମ ଷ୍ଟକ୍ ଥିବା ବେଳେ ସରକାର ଗହମ କ୍ରୟ ଲକ୍ଷ୍ୟ ହ୍ରାସ କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ଗୋଦାମରେ ୧୦୩.୪ ଲକ୍ଷ ଟନ୍ ଗହମ ଗଚ୍ଛିତ ରହିଛି। ହେଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଗହମ ଯୋଗାଇବା ପାଇଁ ବାର୍ଷିକ ୧୮୦ ଲକ୍ଷ ଟନ୍ ଗହମର ଆବଶ୍ୟକ ରହୁଛି। ୨୦୨୪-୨୫ ରବି ମାର୍କେଟିଂ ସିଜନରେ ସରକାର ଗହମର MSP ଟନ୍ ପିଛା ୨୨୭୫ ଟଙ୍କା ସ୍ଥିର କରିଛନ୍ତି। ଯାହା ଗତ ବର୍ଷ ତୁଳନାରେ ୧୫୦ ଟଙ୍କା ଅଧିକ।

କହି ରଖୁଛୁ ଯେ ବର୍ତ୍ତମାନ ଚାଷୀ ଏମ୍‌ଏସ୍‌ପି ସୁନିଶ୍ଚିତ କରିବାକୁ ଆଇନ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖୁଛି। ଫଳରେ ଅମଳ ଯେମିତି ସର୍ବନିମ୍ନ ମୂଲ୍ୟରେ କେହି କିଣି ଚାଷୀକୁ କ୍ଷତି ନ ପହଞ୍ଚାଉ। ଏପଟେ ସରକାର ଭଲ ଅମଳ ହେବା ବେଳେ ଗହମ କିଣିବା ଟାର୍ଗେଟ୍ କମାଇ ଦେଉଛନ୍ତି। ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.