ବିବାଦ ଭିତରେ ୧୨୦ ପ୍ରଳୟ ମିସାଇଲ୍ କିଣିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର: ଚୀନ ସୀମାରେ ହେବ ମୁତୟନ
25/12/2022 at 8:41 PM

ନୂଆଦିଲ୍ଲୀ: ଚୀନକୁ ଭରସା ନାହିଁ। ସୁବୁବେଳେ ସୀମାରେ ଉତ୍ପାତ ଜାରି ରଖିଛି ଡ୍ରାଗନ। ଏପଟେ ଶାନ୍ତିର ଛଳନା କରୁଛି। ତେଣୁ କେତେବେଳେ କିଛି ବି ହୋଇପାରେ। ସେପଟେ ଚୀନରେ ଜିନପିଙ୍ଗ ସରକାର ବିରୋଧରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ତେଣୁ ଜନତାଙ୍କର ଧ୍ୟାନ ହଟାଇବାକୁ ମାଓ ସେତୁଙ୍ଗଙ୍କ ଭଳି କେତେବେଳେ ବି ଭାରତ ଉପରେ ଆକ୍ରମଣ କରିପାରେ ଚାଇନା। ତେଣୁ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି ଭାରତ ସରକାର।
ସେନା ପାଇଁ ଆଜି ୧୨୦ ପ୍ରଳୟ ଟାକ୍ଟିକାଲ ବାଲାଷ୍ଟିକ୍ ମିସାଇଲ୍ କିଣିବା ପ୍ରୋଜେକ୍ଟକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଚୀନ ସୀମାରେ ଏହି ମିସାଇଲ୍ଗୁଡ଼ିକ ମୁତୟନ ହେବ। ଇତିହାସରେ ପ୍ରଥମ ଥର ଯୁଦ୍ଧ ପାଇଁ(ଟାକ୍ଟିକାଲ୍ ଅପରେସନ) ମିସାଇଲ୍ କିଣିବା ପ୍ରୋଜେକ୍ଟ ଅନୁମୋଦନ କରିଛନ୍ତି ଭାରତ ସରକାର।
ସେନାର ଏକ ରକେଟ୍ ଫୋର୍ସକୁ ତିଆରି କରିବା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ୧୨୦ ପ୍ରଳୟ ବାଲାଷ୍ଟିକ୍ ମିସାଇଲ କିଣିବାକୁ ପ୍ରୋଜେକ୍ଟ କରାଯାଇଥିଲା। ପ୍ରତିରକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକ ପରେ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ଏହି ପ୍ରୋଜେକ୍ଟ ସେନାର ରକେଟ୍ ଫୋର୍ସକୁ ବଳ ଦେବ। ଦିମ୍ବଗତ ସିଡିଏସ୍ ଜେନରାଲ ବିପିନ ରାୱତ ଏହାର ପରିକଳ୍ପନା କରିଥିଲେ।
ନିକଟରେ ନେଭି ଚିଫ୍ ଆଡମିରାଲ ଆର୍ ହରି କୁମାର ରକେଟ୍ ଫୋର୍ସ ପଛରେ ବିପିନ ରାୱତଙ୍କ ଅବଦାନ କଥା ବଖାଣି ଥିଲେ। ଶତ୍ରୁମାନଙ୍କୁ ଜବାବ ଦେବାକୁ ସିଏ ହିଁ ରକେଟ୍ ଫୋର୍ସ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତର ତିଆରି ଚାଲିଥିବା ଏହି ମିସାଇଲ୍କୁ ପୂର୍ବରୁ ଗତବର୍ଷ ଡିସେମ୍ବରରେ ଦୁଇଥର ସଫଳ ପରୀକ୍ଷଣ କରାଯାଇଛି।
ପ୍ରଳୟ ମିସାଇଲ୍ରେ ମାରକ କ୍ଷମତା ୧୫୦-୫୦୦ କିମି ରହିଛି। ଏହି ମିସାଇଲ ରକେଟ ମଟର ଓ ଅନ୍ୟ ଆଧୁନିକ ଉପରକଣ ଦ୍ୱାରା ପରିଚାଳିତ ହେବ। ମଝି ଆକାଶରେ ଏହା ଗତିପଥ ବଦଳାଇପାରିବ। ଏଥିପାଇଁ ଆଧୁନିକ ନେଭିଗେସନ ସିଷ୍ଟମ ରହିଛି। ଏହି ମିସାଇଲ୍ ଶତ୍ରୁ ପକ୍ଷରୁ ଧ୍ୱଂଶ କରିବାରେ ଭାରତୀୟ ସେନା ପାଇଁ ବରଦାନ ସଦୃଶ ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।