ସିନ୍ଧୁଦୁର୍ଗ ଜିଲ୍ଲା ଘନ ଜଙ୍ଗଲରୁ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଆମେରିକୀୟ ମହିଳା ଉଦ୍ଧାର, ତଦନ୍ତ ଜାରି

Published By : Prameya-News7 Bureau | July 28, 2024 IST

ମୁମ୍ବାଇ : ସିନ୍ଧୁଦୁର୍ଗ ଜିଲ୍ଲା ସାୱନ୍ତବାଡି  କରାଡି ପାହାଡର ଘଞ୍ଚ ଜଙ୍ଗଲର ଏକ ଗଛରେ ଲୁହା ଶିଙ୍କୁଳିରେ ବନ୍ଧାଥିବା ଅବସ୍ଥାରେ ଜଣେ ଆମେରିକୀୟ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ସେ ତାମିଲନାଡୁର ଜନୈକ ବ୍ୟକ୍ତିଙ୍କୁ ବିବାହ କରିଥିଲେ, ଯିଏ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଜଙ୍ଗଲରେ ଏପରି ଅବସ୍ଥାରେ ମରିବାକୁ ଛାଡି ଯାଇଥିଲେ ବୋଲି ମହିଳା କହିଛନ୍ତି। ମାମଲାରେ ସାୱନ୍ତବାଡି ପୋଲିସ ଷ୍ଟେସନ ଆମେରିକୀୟ ଦୂତାବାସକୁ ସୂଚିତ କରିଛି। 

ସିନ୍ଧୁଦୁର୍ଗ ଜିଲ୍ଲା ପୋଲିସ ଏସପି ସୌରଭ ଅଗ୍ରୱାଲ ରବିବାର ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉଦ୍ଧାର ପରେ ପୋଲିସ ମହିଳାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ବିଦେଶିନୀ ମହିଳାଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପଡିଥିବାରୁ ତାଙ୍କୁ ରବିବାର ସକାଳେ ଓରସ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ମହିଳା ଏବେବି କିଛି ଠିକରେ କହି ପାରୁ ନାହାନ୍ତି ଏଣୁ ପୋଲିସ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନାହିଁ। 

ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବାରୁ ପୋଲିସ ତାଙ୍କୁ ପଚରା ଉଚରା କରିବାକୁ ଉଦ୍ୟମ କରିଥିଲା। ତେବେ ସେ କିଛି କହି ପାରୁ ନାହାନ୍ତି। ହେଲେ କାଗଜ କଲମରେ ଲିଖିତ ସଂକ୍ଷିପ୍ତ ବୟାନ ଦେଇଛନ୍ତି।  ବୟାନ ଅନୁସାରେ ତାଙ୍କ ସ୍ୱାମୀ ହିଁ ତାଙ୍କୁ ଇଞ୍ଜେକ୍ସନ ଦେଇ ଘନ ଜଙ୍ଗଲକୁ ଆଣି ଗଛରେ ବାନ୍ଧି ଚାଲିଯାଇଛନ୍ତି। ତେବେ ଏପରି କରିବା ପୂର୍ବରୁ ଗତ ୪୦ ଦିନ ହେଲା ତାଙ୍କୁ ଖାଇବାକୁ ପିଇବାକୁ ଦିଆଯାଇ ନଥିଲା। ମହିଳା ନିଜକୁ ଆମେରିକୀୟ ବୋଲି କହିଛନ୍ତି ଓ ତାଙ୍କ ରାସନ କାର୍ଡ ତାମିଲନାଡୁର ମିଳିଛି। ପୋଲିସର ଏକ ଟିମ୍‌ ମାମଲାର ତଦନ୍ତ ପାଇଁ ରବିବାର ତାମିଲନାଡୁ ଗସ୍ତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.