ପାରାଦୀପ ବନ୍ଦରରେ ଆମେରିକୀୟ ଜାହାଜ ; ଓଡ଼ିଶାର କଳା ସଂସ୍କୃତି ବୁଲି ଦେଖିବେ ବିଦେଶୀ ପର୍ଯ୍ୟଟକ
26/01/2019 at 1:51 PM

ପାରାଦୀପ ୨୬|୧: ପାରାଦୀପ ବନ୍ଦରରେ ଲାଗିଲା ଆମେରିକୀୟ ଜାହାଜ । ଓଡ଼ିଶା ବୁଲିବା ପାଇଁ ସିଲଭର ଡିସକଭର କ୍ରୁସ ନାମକ ଜାହାଜରେ ଆମେରିକାରୁ ଆସିଛନ୍ତି ବିଦେଶୀ ପର୍ଯ୍ୟଟକ । ଓଡ଼ିଶାର କଳା ସଂସ୍କୃତି ବୁଲି ଦେଖିବେ ପର୍ଯ୍ୟଟକ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି ।

ପାରାଦୀପ ବନ୍ଦର ପଣ୍ୟ ପରିବହନ କ୍ଷେତ୍ରରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବାବଳେ ଦୀର୍ଘଦିନ ବ୍ୟବଧାନରେ ପାରାଦୀପ ବନ୍ଦରରେ ଲାଗିଛି ଯାତ୍ରୀବାହୀ ଜାହାଜ ଏମ.ଭି ସିଲଭର ଡିସ୍କଭରର । ଏହି ଜାହାଜଟି ଚେନ୍ନାଇ ପୋର୍ଟରୁ ବହାରି ବିଶାଖାପଟନମ୍ ଦେଇ ପାରାଦୀପ ବନ୍ଦରରେ ପହଁଚିଥିଲା । ପ୍ରଥମେ ପାରାଦୀପ ବନ୍ଦର ପକ୍ଷରୁ ଏହି ଜାହଜଟିକୁ ଏସକଟ୍ କରି ବନ୍ଦରର ମେରାଇନ୍ ବର୍ଥରେ ଲାଗିଥିଲା ।

ଓଡିଶା କଳା ସଂସ୍କୃତି ପରମ୍ପରା ଅନୁସାରେ ଜାହାଜରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ପ୍ରଥମେ ବନ୍ଦାପନା କରି ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ବନ୍ଦର ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିଥିଲେ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ । ତେବେ ପାରାଦୀପ ବନ୍ଦରରେ ଏହି ଜାହାଜଟି ଲାଗିଥିବାରୁ ସମସ୍ତେ ଭାରି ଖୁସିଥିବାବଳେ ସବୁଠାରୁ ଅଧିକ ଖୁସି ଯାତ୍ରୀମାନେ ଥିବା ପରିଲକ୍ଷିତ ହେଉଥିଲା । କିଛି ସମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଭୋଲବୋ ବସ୍ ମଧ୍ୟରେ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବାପାଇଁ ଯାତ୍ରା ଆରମ୍ଭ କରିଥିଲେ ।

ଏମ.ଭି ସିଲଭର ଡିସ୍କଭରର ୬୨ଜଣ ବିଦେଶୀ ପର୍ଯ୍ୟଟକ ଓ ୯୩ଜଣ ଜାହାଜ କର୍ମଚାରୀଙ୍କୁ ନେଇ ଚେନ୍ନାଇ ପୋର୍ଟରୁ ଯାତ୍ରା ଆରମ୍ଭ କରି ବିଶାଖାପଟନମ୍ ପୋର୍ଟ ଦେଇ ଆଜି ସକାଳେ ପାରାଦୀପ ବନ୍ଦରରେ ପହଁଚିଥିଲା । ପାରାଦୀପ ବନ୍ଦର, ଜିଲ୍ଲା ପ୍ରାଶାସନ ପକ୍ଷରୁ ବିଦେଶୀ ଯାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବାବଳେ ଯାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରିପାରିବେ ସନେଇ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି ।

ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡିଶାର ପର୍ଯ୍ୟଟନସ୍ଥଳୀ ଯାଜପୁର ଜିଲ୍ଲାର ରତ୍ନଗିରି ଓ ଉଦୟଗିରି ରେ ଥିବା ବୌଦ୍ଧକିର୍ତ୍ତି ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ବିଷେଶ କରି ରାଜ୍ୟରେ ଥିବା ଐତିହାସିକ କିର୍ତ୍ତିରାଜି, କଳା, ସଂସ୍କୃତି ପ୍ରତି ଆକୃଷ୍ଠ ହୋଇ ଏହି ବିଦେଶୀ ପର୍ଯ୍ୟଟକମାନେ ଆସିଥିବାର ଜଣାପଡିଛି । ଏହି ବିଦେଶୀ ପର୍ଯ୍ୟଟକମାନେ ଆମେରିକା, ଅଷ୍ଟ୍ରେଲିଆ, ୟୁକେ ଓ ସାଉଥ ଆଫ୍ରିକାର ।

ତେବେ ପାରାଦୀପ ବନ୍ଦର ପଣ୍ୟ ପରିବହନ କରିବା ଦିଗରେ ନିଜର ପରିଚୟ ଶୃଷ୍ଟି କରିଥିବାବଳେ ଏହି ଜାହାଜ ପାରାଦୀପରେ ଲାଗିବା ଓ ଆଗାମୀ ଦିନମାନଙ୍କରେ ଆହୁରି ଯାତ୍ରୀବାହୀ ଜାହାଜ ଲାଗିବା ପାଇଁ ସୁବ୍ୟବସ୍ଥା କରାଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବନ୍ଦର ଉପ ସଂରକ୍ଷକ । ଅନ୍ୟପଟେ ଏହି ଯାତ୍ରୀବାହୀ ଜାହାଜ ଲାଗିବା ଆମ ପାରାଦୀପ ତଥା ଓଡିଶା ପାଇଁ ଏକ ଗର୍ବ ଗୌରବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ।