ଆମେରିକାରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ, ମଣିଷଙ୍କ ଉପରେ ବି ରହିଛି ବିପଦ: ସତର୍କ କରାଇଲା ‘WHO’
12/02/2023 at 5:09 PM

ନୂଆଦିଲ୍ଲୀ, ୧୨/୦୨: ଆମେରିକା ଇତିହାସରେ ସବୁଠୁ ବଡ଼ ବାର୍ଡ ଫ୍ଲୁ ବ୍ୟାପିଛି। ଯାହାକୁ ନେଇ ଏବେ ଚିନ୍ତିତ ଆମେରିକାର ସ୍ବାସ୍ଥ୍ୟ ଅଧିକାରୀ। ଖାଲି ବାର୍ଡ ଫ୍ଲୁ ପାଇଁ ନୁହେଁ ବରଂ ଏହି ରୋଗ ଯେପରି ମଣିଷଙ୍କୁ ସଂକ୍ରମିତ ନକରୁ ସେଥିପାଇଁ ମଧ୍ୟ ଚିନ୍ତିତ ସ୍ବାସ୍ଥ୍ୟ ଅଧିକାରୀ। ସେପଟେ ଡବ୍ଲୁଏଚଓ ମଧ୍ୟ ଏହାକୁ ନେଇ ଚେତାବନୀ ଦେଇଛି। ‘ହୁ’ କହିଛି ମଣିଷଙ୍କୁ ବାର୍ଡ ଫ୍ଲୁ ବ୍ୟାପିପାରେ ତେଣୁ ସତର୍କ ହୋଇଯିବା ଦରକାର। ‘ହୁ’ ଅନୁଯାୟୀ, ଏଚ୫ଏନ୧ ଭାଇରସ ପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପୁଛି। ଏଭଳି କିଛି ମାମଲା ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି।
ୟୁନିଭର୍ସିଟି ଅଫ୍ ମାସାଚସେଟସ୍ ବୋଷ୍ଟନରେ ଭାଇରୋଲୋଜିଷ୍ଟ ନିକୋଲା ହିଲଙ୍କ କହିବା ଅନୁଯାୟୀ, ଏହାଦ୍ବାରା କେତେ ପ୍ରଜାତି ସଂକ୍ରମିତ ହେବେ ତାହା ଅପ୍ରତ୍ୟାଶିତ। ଆମେରିକାରେ ବ୍ୟାପିଥିବା ଏହି ରୋଗ ଖୁବ୍ ଘାତକ ଭାବରେ ସାମ୍ନାକୁ ଆସିଛି। ଏଠାରେ ପ୍ରାୟ ୬୦ ମିଲିୟନ କୁକୁଡ଼ା ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହା ବ୍ୟତୀତ ୫୦ ରାଜ୍ୟରେ ଜଙ୍ଗଲୀ ପକ୍ଷୀ ମଧ୍ୟ ରୋଗର ଶିକାର ହୋଇଛନ୍ତି। ନିକୋଲ ହିଲ କହିଛନ୍ତି ଯେ ଏହା ପୂର୍ବରୁ ଏତେ ଅଧିକ ପ୍ରଜାତି ଏହି ରୋଗରେ ସଂକ୍ରମିତ ହେବା କେବେବି ଦେଖାଯାଇନଥିଲା। ଏହି ରୋଗ ସ୍ତନ୍ୟପାୟୀ ପ୍ରାଣୀ, ଭାଲୁ, ସିଲ୍, ଗଧିଆ, ଡଲଫିନ୍ଙ୍କୁ ସଂକ୍ରମିତ କରୁଛି।
ଅବଶ୍ୟ ଡବ୍ଲୁଏଚଓ ମହାନିର୍ଦେ୍ଦଶକ ଟେଡ୍ରୋସ୍ ଅଧନୋମ ମଣିଷଙ୍କ ଠାରେ ଏହି ରୋଗକୁ ବ୍ୟାପିବା ବିପଦ କମ୍ ଥିବା କହିଛନ୍ତି। କିନ୍ତୁ ଭବିଷ୍ୟତରେ ଏହା ବ୍ୟାପିପାରେ ବୋଲି ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ ଯଦି ଭବିଷ୍ୟରେ ଏଚ୫ଏନ୧ ଷ୍ଟେ୍ରନ୍ ର କୌଣସି ପ୍ରକାର ପରିବର୍ତ୍ତନ ହେଉଛି ତେବେ ବିପଦ ବଢ଼ିପାରେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବାର୍ଡ ଫ୍ଲୁ ମଣିଷଙ୍କ ଠାରେ ବ୍ୟାପି ସାରିଛି। ଆଉ ଏବେ ଯେଉଁଭଳି ଭାବରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରେ ବାର୍ଡ ଫ୍ଲୁ ବ୍ୟାପୁଛି ସେଥିରୁ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି।