ପ୍ରେମ ପାଇଁ ତୁଚ୍ଛ ହୋଇଗଲା ସବୁକିଛି, ସାତ ଦରିଆ ପାର୍ କରି ପ୍ରେମିକ ପାଖକୁ ଚାଲିଆସିଲେ ପ୍ରେମିକା

Published By : Prameya-News7 Bureau | October 20, 2022 IST

କୋଲକାତା ୨୦/୧୦: ସୋସିଆଲ ମିଡିଆ ପାଇଁ ପରିଚୟ । ପରିଚୟରୁ ପୁଣି ପ୍ରେମ । ଏହାପରେ ପ୍ରେମିକା ଜଣକ ସୁଦୂର ଆମେରିକାରୁ ଭାରତ ପହଞ୍ଚି ପଶ୍ଚିମବଙ୍ଗ ମୁର୍ଶିବାଦର ପ୍ରେମିକ ପାଖକୁ ଚାଲିଆସିଛନ୍ତି । ରବିବାର ରାତିରେ ଏପରି ଏକ ଘଟଣା ଘଟିଥିଲା । ବିଦେଶରୁ ଆସିଥିବା ବୋହୂକୁ ଦେଖିବା ପାଇଁ ପଡ଼ୋଶୀଙ୍କର ଭିଡ଼ ଜମିଥିଲା ।

ପ୍ରେମିକ ଜଣକ ମୁର୍ଶିଦାବାଦର ରାଣୀନଗର ନିବାସୀ ମୁସାବୀର ହାସେନ ହୋଇଥିବାବେଳେ ପ୍ରେମିକା ହେଉଛନ୍ତି ଆମେରିକା ବାସିନ୍ଦା ଫରହାନ ଅଖତର । ତିନିବର୍ଷ ପୂର୍ବେ ଫରହାନ ଅଖତରଙ୍କ ସହ ସୋସିଆଲ ମିଡିଆ ଯୋଗେ ମୁସାବୀର ହାସେନଙ୍କ ପରିଚୟ ହୋଇଥିଲା । ଧୀରେ ଧୀରେ ସେମାନେ ପ୍ରେମ ସମ୍ପର୍କରେ ବାନ୍ଧି ହେଲେ । ଏକାଠି ରହିବାର ସ୍ୱପ୍ନ ଦେଖିଲେ ।

ଫରହାନ ଅଖତାର ତାଙ୍କ ପ୍ରେମିକ ମୁସାବୀରଙ୍କୁ ଭେଟିବା ପାଇଁ ଚାହିଁଥିଲେ । ପରେ ପ୍ରେମିକା ଫରହାନ ବାଂଲା ଆସିବାକୁ ନିଷ୍ପତ୍ତି ନେଇଥିଲେ । ପାସପୋର୍ଟ-ଭିସା ବାହାର କରି ଆକାଶ ପଥରେ ଆସି ଦମଦମ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ମୁସାବୀର ବିମାନବନ୍ଦରରେ ପହଞ୍ଚି ପ୍ରେମିକାକୁ ସାଙ୍ଗରେ ରାଣୀନଗର ନେଇଆସିଥିଲେ ।

ପ୍ରଥମେ ପ୍ରଥମେ ମୁସାବୀର ପରିବାର ଲୋକେ ଫରହାନ ଗ୍ରହଣ କରି ନଥିଲେ । ପରେ ଦୁହିଁଙ୍କ ନିବିଡ଼ ସମ୍ପର୍କ ଯୋଗୁ ଫରହାନଙ୍କୁ ଆଦରି ଥିଲା ମୁସାବୀରଙ୍କ ପରିବାର । ରବିବାର ଦୁହେଁ ବିବାହ କରିଥିଲେ । ମୁସାବୀରଙ୍କ କହିବାନୁଯାୟୀ, ମୋ ଉପରେ ବିଶ୍ୱାସ କରି ସେ ସୂଦୁର ଆମେରିକାରୁ ଆସିଛନ୍ତି । ମୁଁ ତାଙ୍କ ବିଶ୍ୱାସର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବି ।

ଫରହାନ ମୁସାବୀରଙ୍କୁ ଆମେରିକା ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ କ'ଣ ମୁସାବୀର ତାଙ୍କ ପତ୍ନୀଙ୍କ ସହ ଆମେରିକା ଯିବେ ନା ବାଂଲାରେ ସଂସାର କରିବେ ଫରହାନ? ଜାଣିବାକୁ ମିଳିଛି ଯେ ଆପାତତଃ ଭିସାର ସମୟସୀମା ସମାପ୍ତ ହେବା ପରେ ଯୁବତୀ ଆମେରିକା ଫେରିବେ । ମୁସାବୀରଙ୍କ ବର୍ତ୍ତମାନର ଲକ୍ଷ୍ୟ ହେଉଛି ଏମଏ ଅଧ୍ୟୟନ କରିବା । ତା'ପରେ ଚାକିରି କରିବେ । କିନ୍ତୁ ମୁସାବୀର ଫରହାନକୁ ଛାଡ଼ିବେ ନାହିଁ ବୋଲି ଉଭୟ ଉଭୟଙ୍କୁ କଥା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.