ଲୋକସଭା ନିର୍ବାଚନରେ କାହାର ହେବ ବିଜୟ, ଆମେରିକାର ଜଣାଶୁଣା ରାଜନୈତିକ ବିଶେଷଜ୍ଞ କରିଛନ୍ତି ଏହି ଭବିଷ୍ୟବଣୀ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୫:  ଚଳିତ ଲୋକସଭା ନିର୍ବାଚନର ଏପର୍ଯ୍ୟନ୍ତ ୫ ପର୍ଯ୍ୟାୟ ମତଦାନ ସରିଲାଣି, ଆଉ ୨ ପର୍ଯ୍ୟାୟ ମତଦାନ ବାକି ଅଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ୱାଧାନ ଇଣ୍ଡିଆ ମେଣ୍ଟ ଉଭୟ ନିଜନିଜର ବିଜୟ ଦାବି କରୁଛନ୍ତି। ଏଥି ମଧ୍ୟରେ ଆମେରିକାର ଜଣାଶୁଣା ରାଜନୈତିକ ବିଶେଷଜ୍ଞ ବଡ଼ ଦାବି କରିଛନ୍ତି। ଇଆନ ବ୍ରେମର ନାମକ ଏହି ବିଶେଷଜ୍ଞ ଏନଡିଟିଭି ପ୍ରଫିଟ୍ କୁ ଏକ ସାକ୍ଷାତକାରରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୦୫ (+/-୧୦) ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି। 

ବ୍ରେମର ୟୁରେସିୟା ଗ୍ରୁପର ସଂସ୍ଥାପକ ଓ ସାରା ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ନିର୍ବାଚନ ଉପରେ ପାଖରୁ ନଜର ରଖନ୍ତି। ବ୍ରେମର କହିଛନ୍ତି ଯେ ବୈଶ୍ୱିକ ରାଜନୈତିକ ପରିପ୍ରେକ୍ଷୀରେ ଭାରତର ଲୋକସଭା ନିର୍ବାଚନ ଏକମାତ୍ର ସ୍ଥିର ଓ ସୁସଙ୍ଗତ ଦେଖାଯାଏ। ଭାରତରେ ହେଉଥିବା ଲୋକସଭା ନିର୍ବାଚନ ଓ ଏହାର ଫଳାଫଳ ନେଇ ପ୍ରଶ୍ନ କରାଯିବାରୁ ବ୍ରେମର କହିଛନ୍ତି ଯେ ୟୁରେସିୟା ଗ୍ରୁପ ରିସର୍ଚ୍ଚରୁ ଯାହା ଜଣାପଡୁଛି ବିଜେପି ୨୯୫-୩୧୫ ଆସନ ଜିତିବ। 

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୦ ବର୍ଷ ହେଲା ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ଏଥିରେ ୨୦୧୪ ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିବା ବେଳେ ୨୦୧୯ରେ ୩୦୩ଟି ଆସନ ମିଳିଥିଲା। ଆସନ ସଂଖ୍ୟା କୁହାଯିବା ପରେ ବ୍ରେମର କହିଛନ୍ତି ଯେ ତାଙ୍କର ଋଚି ସଂଖ୍ୟାରେ ନାହିଁ। ମୋର ଋଚି ବିଶ୍ୱର ସବୁ ନିର୍ବାଚନରେ। ଆମେରିକୀୟ ରାଜନୈତିକ ବିଶେଷଜ୍ଞ ସ୍ୱାଧୀନ, ନିରପେକ୍ଷ ଓ ପାରଦର୍ଶି ଭାରତୀୟ ନିର୍ବାଚନ ପ୍ରକ୍ରିୟାର ମଧ୍ୟ ତାରିଫ କରିଛନ୍ତି। 

ସେ କହିଛନ୍ତି ଯେ ମୋଦି ପାଖାପାଖି ନିଶ୍ଚିତ ରୂପେ ଆର୍ଥିକ ପ୍ରଦର୍ଶନ ଓ ଲଗାତାର ସୁଧାର ବଳରେ ତୃତୀୟ କାର୍ଯ୍ୟକାଳ ଯିତିବାକୁ ଯାଉଛନ୍ତି, ଯାହା ନିଶ୍ଚିତ ରୂପେ ଏକ ସ୍ଥିର ବାର୍ତ୍ତା। କେବଳ ବ୍ରେମର ନୁହନ୍ତି ଭାରତୀୟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ନିର୍ବାଚନରେ ବିଜେପିର ବଡ଼ ବିଜୟ ଆକଳନ କରିଥିଲେ। ତାଙ୍କ ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ବିକଳ୍ପ ନିମନ୍ତେ ସେପରି ମଜଭୁତ ଦାବି ନାହିଁ। ଏଣୁ ସରକାର ପୁଣି କ୍ଷମତାକୁ ଫେରିପାରନ୍ତି ବୋଲି ଆକଳନ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.