ମୃତ୍ୟୁର ଦ୍ବୀପରେ ଆମେରିକୀୟ ନାଗରିକଙ୍କୁ ହତ୍ୟା

Published By : Prameya-News7 Bureau | November 22, 2018 IST

ଦିଲ୍ଲୀ ୨୨/୧୧ : ଭାରତର ଆଣ୍ଡାମାନ ନିକୋବର ଦ୍ବୀପରେ ଅବସ୍ଥିତ ଉତ୍ତରି ସେଂଟିନାଲ ଦ୍ବୀପ ଦୁନିଆ ପାଇଁ ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି | ଏହାକୁ ଦୁନିଆର ସବୁଠାରୁ ଭୟଙ୍କର ଦ୍ବୀପ ଭାବେ ଗଣନା କରାଯାଏ | କୁହାଯାଏ ଯେ, ଆଜି ପର୍ଯ୍ୟନ୍ତ ଯେକୌଣସି ବିଦେଶୀ ଏହି ଦ୍ବୀପକୁ ଆସନ୍ତି ସେ ଆଉ ଜୀବନ୍ତ ଫେରନ୍ତି ନାହିଁ | ଭାରତକୁ ଆଡଭେଞ୍ଚର ଟ୍ରିପରେ ଆସିଥିବା ଜଣେ ୨୭ ବର୍ଷ ବୟସ୍କ ଆମେରିକୀୟ ନାଗରିକ ଜନ ଏଲନ ଚାଉ ୬ ଦିନ ପୂର୍ବରୁ ଦକ୍ଷିଣ ଆଣ୍ଡାମାନର ସେଂଟିନାଲ ଦ୍ବୀପକୁ ଯାଇଥିଲେ | ସେଠାକାର ଆଦିବାସୀ ଜନଜାତି ଚାଉଙ୍କୁ ତୀର ମାରି ତାଙ୍କର ହତ୍ୟା କରିଛନ୍ତି | ଏହି ହତ୍ୟାକାଣ୍ଡ ପରେ ପୁଣିଥରେ ଏହି ଦ୍ବୀପ ଚର୍ଚ୍ଚାକୁ ଆସିଛି | ସୂଚନାଯୋଗ୍ୟ ଯେ, ଏହି ଦ୍ବୀପରେ ଏକ ଅତି ଭୟଙ୍କର ଆଦିବାସୀ ଜନଜାତି ବସବାସ କରନ୍ତି | ସାରା ଦୁନିଆରେ କୌଣସି ଜନଜାତି ସହ ଏମାନଙ୍କ ସମ୍ପର୍କ ନାହିଁ | ତେଣୁ ଏମାନେ ଅନ୍ୟ ଜାଗାର ଲୋକଙ୍କ ସହ ହିଂସ୍ର ବ୍ୟବହାର କରିଥାନ୍ତି | ଏହି ଦ୍ବୀପ ଏତେ ଭୟଙ୍କର ଯେ, ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମାଛ ଧରାଳି ଭୁଲରେ ମଧ୍ୟ ସେଠାକୁ ଯାଆନ୍ତିନାହିଁ | ସେହି ଦ୍ବୀପକୁ ଯିଏ ବି ଗଲେ ତାଙ୍କୁ ଏହି ଆଦିବାସୀ ସମ୍ପ୍ରଦାୟ ହତ୍ୟା କରିଦେଇଥାନ୍ତି | ପ୍ରାୟ ୬୦ ହଜାର ବର୍ଷ ପୂର୍ବରୁ ଏହି ଆଦିବାସୀ ଜାତି ଏଠାରେ ବସବାସ କରିଆସୁଛନ୍ତି | ସୂଚନା ମୁତାବିକ ଚାଉ ୱାସିଂଟନର ବାସିନ୍ଦା | ସେ ପ୍ରାୟ ସବୁବେଳେ ଦୁଃସାହସିକ ଯାତ୍ରା କରିବାକୁ ବିଭିନ୍ନ ଥାନା ବୁଲିଥାନ୍ତି | ନିକଟରେ ଚାଉ ଆଣ୍ଡାମାନର ଏହି ସେଂଟିନାଲ ଆଦିବାସୀଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲେ | ୭ ଜଣ ମାଛ ଧରାଳି ଚାଉଙ୍କୁ ଉତ୍ତର ସେଂଟିନାଲ ଦ୍ବୀପକୁ ନେଇଯାଇଥିଲେ | ଚାଉ ସେ ଆଦିବାସୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ | କିନ୍ତୁ ସେଂଟିନଲିଜ ଜନଜାତି ରାଗିଯାଇ ଗୀତ ଗାଇବା ଆରମ୍ଭ କରିଥିଲେ | ଚାଉ ନିଜ ମାଙ୍କୁ ନଭେମ୍ବର ୧୬ ତାରିଖରେ ଏକ ଚିଠି ପଠାଇଥିଲେ | ଏଥିରେ ସେ ଲେଖିଥିଲେ ଯେ, ସେ ଆଦିବାସୀଙ୍କୁ କହିଥିଲେ ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି | ଯୀଶୁ ମଧ୍ୟ ସେମାନଙ୍କୁ ବହୁତ ଭଲ ପାଆନ୍ତି | ଏହା କହି ଚାଉ ଆଦିବାସୀଙ୍କୁ ଏକ ବାଇବେଲ ଦେବା ପାଇଁ ଚେଷ୍ଟା କରିଥିଲେ | ଏତିକିବେଳେ ଏକ ଛୋଟ ପିଲା ତାଙ୍କ ଉପରକୁ ତୀର ଚଳାଇଥିଲା | ଘଟଣାସ୍ଥଳରେ ଚାଉ ଟଳି ପଡ଼ିଥିଲେ | ହତ୍ୟା ପରେ ଚାଉଙ୍କ ଶବକୁ ଆଦିବାସୀମାନେ ସମୁଦ୍ର ତଟରେ ବାଲିରେ ପୋତି ଦେଇଥଲେ | ଏହା ଦେଖି ମାଛ ଧରାଳି ସେଠାରୁ ଖସି ଆସିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.